କନକ ବ୍ୟୁରୋ : ମୌସୁମୀ ଆସିଲେ ଲଗାତାର ବର୍ଷା ହୁଏ ଏବଂ ଏହା ପରେ ପରେ ବଢ଼ିଯାଏ ଖରା । ଏଭଳି ସ୍ଥିତିରେ ବାୟୁର ଆର୍ଦ୍ରତା ମଧ୍ୟ ବଢ଼େ ଏବଂ ଆର୍ଦ୍ର ପରିବେଶରେ ରହିବା ଦ୍ୱାରା ଆମର ପାଚନ ପ୍ରକ୍ରିୟା ବିଗିଡ଼ିଯାଏ । ପାଚନ ପ୍ରକ୍ରିୟା ବିଗିଡ଼ିବା କାରଣରୁ ଅନେକ ଥର ପେଟରେ ସଂକ୍ରମଣ ମଧ୍ୟ ହୋଇଥାଏ । ଅନ୍ତନଳୀରେ ସଂକ୍ରମଣ ହେଲେ ଗ୍ୟାସ୍, ଏସିଡିଟି ଏବଂ ଫୁଲିବା ଭଳି ସମସ୍ୟା ଦେଖାଦିଏ । ମେଡିସିନ୍ ବିଭାଗର ଡାକ୍ତର ଏଲ୍.ଏସ୍. ଘୋଟକରଙ୍କ କହିବାନୁସାରେ ମୌସୁମୀରେ ବାୟୁରେ ଆର୍ଦ୍ରତା ଅଧିକ ଥାଏ ଯାହା ବ୍ୟାକ୍ଟେରିଆ, ଭୂତାଣୁ ଏବଂ ଫଙ୍ଗସ୍ ବଢ଼ାଇବାର କାମ କରେ । ଏହି ବ୍ୟାକ୍ଟେରିଆ ଖାଦ୍ୟ ଏବଂ ପାନୀୟରେ ପ୍ରବେଶ କରି ପେଟରେ ସଂକ୍ରମଣ ବଢ଼ାଇଥା’ନ୍ତି । 

Advertisment
Rain
Rain Photograph: (google)

ଅପରିଷ୍କାର ପାଣି : 

ବର୍ଷା ସମୟରେ ଟାଙ୍କିର ପାଣି ପ୍ରାୟତଃ ସଫା ନଥାଏ । ଆଉ ଏହି ଅପରିଷ୍କାର ପାଣିରେ ଥିବା ବ୍ୟାକ୍ଟେରିଆ ପେଟର ଗମ୍ଭୀର ରୋଗର କାରଣ ପାଲଟିଥା’ନ୍ତି ।

ବାସି କିମ୍ବା ଖୋଲାରେ ରଖାଯାଇଥିବା ଖାଦ୍ୟ ଖାଇବା : 

ମୌସୁମୀରେ ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ । ଯଦି ଖାଦ୍ୟକୁ ଘୋଡ଼ାଇ ରଖାନଯାଏ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ରଖାଯାଏ ତେବେ ସେଥିରେ ବ୍ୟାକ୍ଟେରିଆ ବଢ଼ିପାରନ୍ତି ।

ତେଲ-ମସଲାଯୁକ୍ତ ଖାଦ୍ୟ/ଷ୍ଟ୍ରିଟ୍ ଫୁଡ୍ ଖାଇବା :

ବର୍ଷା ସମୟରେ ଷ୍ଟ୍ରିଟ୍ ଫୁଡ୍ ପ୍ରାୟତଃ ଅପରିଷ୍କାର ପାଣି କିମ୍ବା ଖୋଲାରେ ତିଆରି ହୋଇଥାଏ ଯେଉଁଥିପାଇଁ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ । ଏହା ସ୍ୱାଦରେ ଭଲ ଲାଗିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

Signs-Symptoms
Signs-Symptoms Photograph: (google)

ମୌସୁମୀରେ କ’ଣ ଖାଇବା ଭଲ ?

ମୌସୁମୀରେ ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ ତେଣୁ ତେଲିଆ କିମ୍ବା ମସଲାଯୁକ୍ତ ଖାଦ୍ୟ ଶରୀରକୁ କ୍ଷତି ପହଞ୍ଚାଇପାରେ । ଏହି ସମୟରେ ଖେଚୁଡ଼ି କିମ୍ବା ଦଲିଆ ଭଳି ହାଲୁକା ଏବଂ ଘରେ ତିଆରି ଖାଦ୍ୟ ଖାଆନ୍ତୁ ।

ଗରମ ପାଣି ଏବଂ ହର୍ବାଲ୍ ଚା’ ପିଅନ୍ତୁ : 

ଉଷୁମ ପାଣି ପିଇବା ଦ୍ୱାରା ପାଚନ ଠିକ୍ ରହେ ଏବଂ ତୁଳସୀ କିମ୍ବା ଅଦା ମିଶ୍ରିତ ହର୍ବାଲ୍ ଚା’ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିଥାଏ ।

ଖାଦ୍ୟରେ ପକାନ୍ତୁ ହେଙ୍ଗୁ, ଅଦା ଏବଂ ହଳଦୀ :

ଏହି ତିନୋଟି ଘରୋଇ ମସଲା ପେଟକୁ ଶାନ୍ତ ରଖିବା ସହ ଗ୍ୟାସ୍ ଦୂର କରିବା ଏବଂ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରନ୍ତି । ପନିପରିବା, ଡାଲି କିମ୍ବା ଚା’ରେ ଏହାକୁ ନିଶ୍ଚିତ ଭାବରେ ସାମିଲ କରନ୍ତୁ ।

ମୌସୁମୀ ଫଳ : 

ମୌସୁମୀରେ ମିଳୁଥିବା ଫଳ ଯେପରିକି ଅମୃତଭଣ୍ଡା, ଡାଳିମ୍ବ, ଜାମୁକୋଳି ଏବଂ ପିଜୁଳି ଖାଆନ୍ତୁ । ଏଥିରେ ଫାଇବର ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ ଯାହା ପାଚନକୁ ଉନ୍ନତ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଏହି ସମୟରେ ବାହାରର ପାଣି ଏବଂ ଜୁସ୍ ପିଅନ୍ତୁ ନାହିଁ । ଭିଜାଇ ରଖାଯାଇଥିବା କିମ୍ବା କଟା ଫଳକୁ ତୁରନ୍ତ ଖାଆନ୍ତୁ । ବାସନ ସଫା ରଖିବା ସହ ହାତକୁ ସଫା ରଖନ୍ତୁ, ଖୋଲାରେ ରଖାଯାଇଥିବା ଖାଦ୍ୟ ଖାଆନ୍ତୁ ନାହିଁ ।