କନକ ବ୍ୟୁରୋ : ଆପଣ ଅନେକ ସମୟରେ ଦେଖିଥିବେ କିଛି ଲୋକ କଥା ହେବାକୁ ଆସିଲା ବେଳେ ପ୍ରଥମେ ଆପଣଙ୍କ ହାତ ଏବଂ ପାଦକୁ ଦେଖିଥା’ନ୍ତି । ଅଜବ ହେଲେ ମଧ୍ୟ ସାମ୍ନା ଲୋକଟିର ନଜର ହାତ , ପାଦରେ ପଡ଼ିବା ସ୍ବାଭାବିକ । ଆଉ ଯତ୍ନ ଅଭାବରୁ ଯଦି ହାତ ଏବଂ ପାଦର ରଙ୍ଗ କଳା ପଡ଼ିଯାଏ ତାହେଲେ ପ୍ରଥମ ଇମ୍ପ୍ରେସନ୍ ହିଁ ଖରାପ ହୋଇଯାଏ । ବେଳେବେଳେ ଚର୍ମ ସୂର୍ଯ୍ୟଙ୍କ କଠୋର କିରଣରୁ ନିଜକୁ ରକ୍ଷା କରିବା ପାଇଁ ମେଲାନିନ୍ ଉତ୍ପାଦନ କରିଥାଏ ଏବଂ ଅଧିକ ମେଲାନିନ୍ ଅର୍ଥ ଚର୍ମର ରଙ୍ଗ ଗାଢ଼ ହେବା । ଯଦି ଆପଣ ଆପଣଙ୍କର ଏହି କଳା ହାତର ରଙ୍ଗକୁ ହାଲୁକା କରିବାକୁ ଚାହାନ୍ତି, ତେବେ ଏସବୁ ଟିପ୍ସ ଆପଣାଇ ପାରିବେ ।

Advertisment

ହାତକୁ ବାରମ୍ବାର ଓଦା କରନ୍ତୁ ନାହିଁ

ବାରମ୍ବାର ହାତ ଧୋଇବା ଦ୍ୱାରା ଚର୍ମରେ ଦୀର୍ଘକାଳୀନ ପରିବର୍ତ୍ତନ ହୋଇପାରେ, ଯାହା ଫଳରେ କ୍ରନିକ୍ ସ୍କିନ୍ ଡ୍ୟାମେଜ୍ ଏବଂ ହାତ ଜଳିବା ତଥା କୁଣ୍ଡେଇ ହେବା ଭଳି ଚର୍ମ ଅସୁବିଧା ଦେଖାଦେଇପାରେ । 

କଠୋର ସାବୁନ ବ୍ୟବହାର କରନ୍ତୁ ନାହିଁ

ଆପଣ ହାତ ଧୋଇବା ପାଇଁ ଯେଉଁ ସାବୁନ ବ୍ୟବହାର କରୁଛନ୍ତି, ତାହାର ମଧ୍ୟ ଚର୍ମ ଉପରେ ପ୍ରଭାବ ପଡିଥାଏ । ଏହା ଆପଣଙ୍କ ହାତକୁ ଶୁଷ୍କ ଏବଂ ରୁକ୍ଷ କରିପାରେ, ତେଣୁ ମଏଶ୍ଚରାଇଜିଙ୍ଗ୍ ସାବୁନ ବାଛନ୍ତୁ । ଗ୍ଲିସେରିନ୍ ଏବଂ ଲାନୋଲିନ୍ ଭଳି ଉପାଦାନ ଆପଣଙ୍କ ହାତର ଯତ୍ନ ନେଇଥା’ନ୍ତି ।

ସୂର୍ଯ୍ୟ କିରଣରୁ ବଞ୍ଚନ୍ତୁ

ଚର୍ମର କଳାପଣ ବା ଟ୍ୟାନିଙ୍ଗ୍ ପାଇଁ ଦାୟୀ ହେଉଛି ମେଲାନିନ୍ । ୟୁଭି ରେଡିଏସନକୁ ଶୋଷଣ କରିବାରେ ସାହାଯ୍ୟ କରିବା ପାଇଁ ଆପଣଙ୍କ ଚର୍ମର ଉପରି ଭାଗରେ ମେଲାନିନ୍ ଛାଡିଥାଏ । ଆପଣ ଯେତେ ଅଧିକ ସୂର୍ଯ୍ୟ କିରଣରେ ଆସନ୍ତି ଶରୀରରୁ ସେତେ ଅଧିକ ମେଲାନିନ୍ ବାହାରିଥାଏ ଏବଂ ଚର୍ମର ରଙ୍ଗ ଗାଢ଼ ହୋଇଯାଏ ।

ଭିଟାମିନ୍-ବି ୧୨ ର ଅଭାବକୁ ପୂରଣ କରନ୍ତୁ

୨୦୧୬ ରେ ନକଲ୍ ପିଗମେଣ୍ଟେସନ୍ ଉପରେ ହୋଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଏକ ଅଧ୍ୟୟନରୁ ଜଣାପଡିଛି ଯେ ହାତ/ଆଙ୍ଗୁଠିର ପିଗମେଣ୍ଟେସନ୍ ଭିଟାମିନ୍ ବି-୧୨ ର ଅଭାବ କାରଣରୁ ହୋଇପାରେ । ଖାଦ୍ୟରେ ଅଣ୍ଡା, କ୍ଷୀର ସାମିଲ୍ କରି ଏହି ଅଭାବକୁ ଦୂର କରାଯାଇପାରିବ ।

ହାତର କଳାପଣ ଦୂର କରିବା ପାଇଁ ଘରୋଇ ଉପଚାର

ହାତ ଏବଂ ଆଙ୍ଗୁଠିର କଳାପଣ ଦୂର କରିବା ପାଇଁ ଦହି ଏବଂ ଲେମ୍ବୁର ମିଶ୍ରଣ ଲଗାନ୍ତୁ । ଏହା କଳାପଣକୁ ଦୂର କରିଥାଏ । ଲେମ୍ବୁ ପୋର୍ସକୁ ଟାଇଟ୍ କରିଥାଏ ଏବଂ ଚର୍ମର ରଙ୍ଗକୁ ମଧ୍ୟ ସଫା କରିଥାଏ । ସେହିପରି ଚିନି ଚର୍ମକୁ ଭଲ ଭାବରେ ଏକ୍ସଫୋଲିଏଟ୍ କରି ଡେଡ୍ ସ୍କିନ୍ ସେଲ୍ସକୁ ହଟାଇଥାଏ ଏବଂ ପୋର୍ସକୁ ସଫା କରିଥାଏ । ଲେମ୍ବୁ ସ୍ଲାଇସରେ ଚିନି ଲଗାଇ ନିଜ ହାତକୁ ୭ ରୁ ୧୦ ମିନିଟ୍ ପାଇଁ ସ୍କ୍ରବ୍ କରନ୍ତୁ କିମ୍ବା ଚିନିରେ ଲେମ୍ବୁ ରସ ମିଶାଇ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ ଏବଂ ତା'ପରେ ଏହାକୁ ହାତରେ ଲଗାଇ ସ୍କ୍ରବ୍ କରନ୍ତୁ । କିଛି ସମୟ ପରେ ଉଷୁମ ପାଣିରେ ନିଜ ହାତକୁ ଧୋଇ ସଫା କରନ୍ତୁ ଏବଂ ତା'ପରେ ମଏଶ୍ଚରାଇଜିଙ୍ଗ୍ କ୍ରିମ୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହି ସ୍କ୍ରବକୁ ଆପଣ ସପ୍ତାହରେ ୩ ରୁ ୪ ଥର ହାତରେ ଲଗାଇପାରିବେ ।

ଦହି, ହଳଦୀ ଏବଂ ବେସନ ଲଗାନ୍ତୁ

ଏହା ଚର୍ମର ଟେକ୍ସଚରକୁ ଶାନ୍ତ କରିଥାଏ ଏବଂ ଟ୍ୟାନ୍ ହଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଦହିରେ ଲାକ୍ଟିକ୍ ଏସିଡ୍ ଥିବା କାରଣରୁ ଏହା ଏକ ପ୍ରଭାବଶାଳୀ ପ୍ରାକୃତିକ ବ୍ଲିଚିଙ୍ଗ୍ ଏଜେଣ୍ଟ ଭଳି କାମ କରେ । ଏହିପରି ଏହା ଚର୍ମକୁ ହାଲୁକା କରିବାରେ ସହାୟକ ହୋଇଥାଏ । ଆପଣଙ୍କ ସ୍କିନ୍ କେୟାର ରୁଟିନରେ ହଳଦୀକୁ ସାମିଲ କରିବା ଦ୍ୱାରା ଆପଣଙ୍କ ଚର୍ମର ରଙ୍ଗରେ ଉନ୍ନତି ଆସିଥାଏ ଏବଂ ଯେକୌଣସି ପ୍ରକାରର କଳା ଦାଗ ଏବଂ ପିଗମେଣ୍ଟେସନ୍ କମ୍ ହୋଇପାରେ । ବେସନରେ ହଳଦୀ ପାଉଡର ପକାଇ ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଦହି ପକାଇ ଭଲ ଭାବରେ ମିକ୍ସ କରନ୍ତୁ । ମିଶ୍ରଣକୁ ନିଜ ହାତରେ ଲଗାଇ ୨୦ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ । ଏହା ପରେ ଧିରେ ଧିରେ ହାତରେ ସ୍କ୍ରବ୍ କରନ୍ତୁ ଏବଂ ହାତକୁ ଧୋଇ ସଫା କରନ୍ତୁ । ମଏଶ୍ଚରାଇଜର ଲଗାଇବାକୁ ଆଦୌ ଭୁଲନ୍ତୁ ନାହିଁ । ବର୍ତ୍ତମାନ ଆପଣ ମଧ୍ୟ ନିଜ କଳା ପଡ଼ିଯାଇଥିବା ହାତର ରଙ୍ଗକୁ ଏହିପରି ଭାବରେ ହାଲୁକା କରିପାରିବେ ।