ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ ହେଉଛି ହଳଦୀ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍,ଆଣ୍ଟିଇନଫ୍ଲାମେଟରି,ଆଣ୍ଟିଫଙ୍ଗାଲ୍ ଗୁଣ ଥାଏ । ହଳଦୀ ଔଷଧୀୟ ଗୁଣରେ ଭରପୁର । ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ହଳଦୀ ବ୍ୟବହାର ବିଷୟରେ ତ ସମସ୍ତେ ଜାଣିଛନ୍ତି ; ହେଲେ ଗଛ ବୃଦ୍ଧି ପାଇଁ ମଧ୍ୟ ହଳଦୀ ପ୍ରାକୃତିକ ମହୌଷଧି ରୂପେ କାମ କରେ । ହଳଦୀ ଗୁଣ୍ଡ , ଅର୍କ , ତୈଳ ଫସଲ ପାଇଁ ପ୍ରାକୃତିକ କୀଟନାଶକ , ପତ୍ର ସିଞ୍ଚନ ଭାବେ ପ୍ରୟୋଗ କରାଯାଇପାରିବ । 

Advertisment
haldi
haldi Photograph: (google)

ପୋକ ନିୟନ୍ତ୍ରଣକାରୀ : ଫସଲରେ ହଳଦୀ ସିଞ୍ଚନ କଲେ ପୋକ ସଂଖ୍ୟା ହ୍ରାସ ପାଇଥାଏ । ଏକ ଲିଟର ପାଣିରେ ଏକ ବଡ଼ ଚାମଚ ହଳଦୀ ପାଉଡର ମିଶାଇ ଗଛରେ ସିଞ୍ଚନ କରିପାରିବେ । ସେହିପରି ହଳଦୀରୁ ଅର୍କ ବନାଇ ଫସଲରେ ସିଞ୍ଚନ ଜରୁରି । ଅନ୍ୟ ପ୍ରାକୃତିକ କୀଟନାଶକ ଯଥା- ନିମ ତେଲ ସହିତ ହଳଦୀକୁ ମିଶାଇ ବ୍ୟବହାର ଦ୍ବାରା ଲାଭପ୍ରଦ ହୋଇଥାଏ । 

ଉପକାରୀ ଜୀବାଣୁ ବୃଦ୍ଧି : ହଳଦୀରେ ଥିବା କରକ୍ୟୁମିନ ମାଟିରେ ଉପକାରୀ ଜୀବାଣୁ ବଂଶ ବିସ୍ତାର କରି ମାଟିକୁ ସୁସ୍ଥ ରଖିଥାଏ । ଏହା ପରିବେଶ ଅନୁକୂଳ । ଗଛ ଲଗାଇବା ପୂର୍ବରୁ ଏହାର ମୂଳକୁ ଏକ ଲିଟର ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଏଥିରେ ଭିଜାଇ ରଖି ଜମିରେ ଲଗାଇଲେ ଗଛ ସୁସ୍ଥ ହୁଏ । ବିହନ ବୁଣିବା ପୂର୍ବରୁ ଏକ କପ୍ ପାଣିରେ ହଳଦୀ ମିଶାଇ ସେଥିରେ ଉପଚାର ପାଇଁ କିଛି ଘଣ୍ଟା ଭିଜାଇ ରଖିବା ଦ୍ବାରା ଗଜା ଭଲ ହୋଇଥାଏ । 

କୃଷି ବିଶେଷଜ୍ଞଙ୍କ ପରାମର୍ଶ ଜରୁରି : ହଳଦୀ ଗୁଣ୍ଡ ଉପଯୋଗ କରିବା ପୂର୍ବରୁ ଫସଲ ଏବଂ ପୋକ ବିଷୟରେ ସଠିକ ତଥ୍ୟ ସଂଗ୍ରହ କରିବା ଜରୁରି । ଫସଲରେ କେତେ ମାତ୍ରାର ହଳଦୀ ଗୁଣ୍ଡ ବ୍ୟବହାର କରିବା ଆବଶ୍ୟକ ସେନେଇ କୃଷି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇ ପାରିବେ । ହଳଦୀ ଗୁଣ୍ଡ ଉପଯୋଗ କରିବା ପରେ ଫସଲକୁ ନିୟମିତ ରୂପେ ଯାଞ୍ଚ କରିବାର ଆବଶ୍ୟକତା ମଧ୍ୟ ରହିଛି ।