କନକ ବ୍ୟୁରୋ : ଆଜିର ଧାଁଦୌଡ଼ ଜୀବନରେ ପ୍ରାୟତଃ ଅଧିକାଂଶ ଲୋକଙ୍କ ଲିଭର୍ ସମସ୍ୟା ଦେଖାଦେଇଥାଏ । ଘରେ ଘରେ ଫ୍ୟାଟି ଲିଭର୍ ସମସ୍ୟା ଏବେ ଚିନ୍ତାର କାରଣ ହୋଇ ଛିଡ଼ା ହୋଇଛି । ଯାହାର କାରଣ ମୁଖ୍ୟତଃ ମଦ୍ୟପାନ କିମ୍ବା ଫାଷ୍ଟଫୁଡ୍, ତେଲ, ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ହୋଇଥାଏ । କିନ୍ତୁ ଏବେ ଯେଉଁ ରିସର୍ଚ୍ଚ ସାମ୍ନାକୁ ଆସୁଛି ତାହା ଆହୁରି ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେ ବାଙ୍ଗାଲୁରୁର ଲୋକେ ଅଳ୍ପ ବୟସରୁ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
/kanak/media/media_files/2025/06/17/1eVtr3pRPjf5ZMKmbh1I.jpg)
ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମସ୍ୟା ମଦ୍ୟପାନ କରିବା ଯୋଗୁଁ ନୁହେଁ ବରଂ ଦିନ ସାରା ଗୋଟିଏ ସ୍ଥାନରେ ବସି ରହି କାମ କରିବା , ବାହାର ଖାଦ୍ୟ ଖାଇବା , ବ୍ୟାୟାମ ନ କରିବା ଏବଂ ଦିନଚର୍ଯ୍ୟାରେ ଅନିୟମିତତା ଯୋଗୁଁ ହୋଇଥାଏ । ଡାକ୍ତରଙ୍କ ମୁତାବକ ୨୦ ରୁ ୩୦ ବର୍ଷ ବୟସର ବ୍ୟକ୍ତିବିଶେଷ ଏହି ଫ୍ୟାଟି ଲିଭର୍ ସମସ୍ୟାରେ ଅଧିକ ପୀଡ଼ିତ । ଯାହାର କାରଣ ହେଉଛି ଓଜନ ବଢ଼ିବା ଏବଂ ବ୍ୟାୟାମ ନ କରିବା । ଏହି ସମସ୍ୟା କେବଳ ଅଫିସରେ ଦିନସାରା ବସି କାମ କରୁଥିବା କର୍ମଚାରୀଙ୍କୁ ନୁହେଁ ବରଂ ପାନ ଦୋକାନୀ ଏବଂ ଅଟୋ ଚାଳକଙ୍କୁ ମଧ୍ୟ ହେଉଛି । ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ବସି କାମ କରୁଥିବା ଲୋକଙ୍କୁ ଏହି ଫ୍ୟାଟି ଲିଭର୍ ସମସ୍ୟା ଅଧିକ ହେଉଛି । ଡାକ୍ତରଙ୍କ କହିବା ମୁତାବକ ଏହା କେବଳ ଲିଭର ସମ୍ବନ୍ଧୀୟ ରୋଗ ନୁହେଁ । ଦେହ ଖରାପ ହେବା ପୂର୍ବରୁ ଶରୀର ଆପଣଙ୍କୁ ଚେତାବନୀ ଦେବା ଆରମ୍ଭ କରିଥାଏ । ଯେଉଁଥିରେ ସୁଗାର୍ , ବ୍ଲଡ୍ ପ୍ରେସର୍ ଏବଂ କୋଲେଷ୍ଟ୍ରୋଲର ସନ୍ତୁଳନ ବିଗିଡ଼ିବା ଆରମ୍ଭ ହୁଏ ।
କରୋନା ପରେ ପରେ ଅନେକ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମାଧ୍ୟମରେ ଘରେ ବସି କାମ କଲେ । ଅଧିକ ସମୟ ଲାପଟପ୍ ଏବଂ ମୋବାଇଲର ବ୍ୟବହାର କଲେ । ବାହାର ଖାଦ୍ୟ ଖାଇଲେ ଏବଂ ନିଦ୍ରା ସମ୍ପୂର୍ଣ୍ଣ କଲେନାହିଁ । ସେତେବେଳର ସେହି ଛୋଟ ଛୋଟ ଅଭ୍ୟାସ ବର୍ତ୍ତମାନ ପ୍ରତିଦିନର ଅଭ୍ୟାସରେ ପରିଣତ ହୋଇଗଲାଣି । ଯେଉଁଥିପାଇଁ ଅଧିକାଂଶ ଲୋକଙ୍କୁ ଫ୍ୟାଟି ଲିଭର୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଯଦି ଫ୍ୟାଟି ଲିଭରରୁ ମୁକ୍ତି ପାଇବାକୁ ଚାହୁଛନ୍ତି ତେବେ ଘର ଖାଦ୍ୟ ଖାଆନ୍ତୁ ଏବଂ ଫାଷ୍ଟଫୁଟ୍, ତେଲ, ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ପ୍ରତିଦିନ କିଛି ସମୟ ଚାଲିବା ଅଭ୍ୟାସ କରନ୍ତୁ ଏବଂ ବ୍ୟାୟାମ କରନ୍ତୁ । ଚାପମୁକ୍ତ ରହିବାକୁ ଚେଷ୍ଟା କରିବା ସହ ନିଦ୍ରା ସମ୍ପୂର୍ଣ୍ଣ କରନ୍ତୁ । ରୁଟିନ୍ ଚେକଅପ୍ କରିବା ସହ ସିଗାରେଟ୍ ଏବଂ ମଦଠାରୁ ଦୂରେଇ ରୁହନ୍ତୁ । ଡାଏବେଟିସ୍ , ଉଚ୍ଚ ରକ୍ତଚାପ , ହାଇ କୋଲେଷ୍ଟ୍ରୋଲ୍ ଏବଂ ବର୍ଦ୍ଧିତ ଓଜନ ଥିବା ଲୋକଙ୍କୁ ଫ୍ୟାଟି ଲିଭରର ସମସ୍ୟା ଅଧିକ ହୋଇଥିଲା ।