କନକ ବ୍ୟୁରୋ : ଥଣ୍ଡାରୁ ରକ୍ଷା ପାଇବା ପାଇଁ ଯଦି ରୁମ୍ ହିଟର ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ,ଏଥି ଯୋଗୁଁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ବନ୍ଦ ରୁମ୍ ଭିତରେ ହିଟର ଜଳାଇବା ଦ୍ବାରା ଘର ସାରା ଗ୍ୟାସ୍ ଭରିଯାଏ ଏବଂ ଅକ୍ସିଜେନର ପରିମାଣ କମ୍ ହୋଇଯାଏ । ଏହି କାରଣରୁ ହାର୍ଟ ଆଟାକ୍ ହେବାର ମଧ୍ୟ ସମ୍ଭାବନା ଥାଏ । ରୁମ୍ ହିଟର ଲଗାଇବାଲେ ସେଥିରୁ କାର୍ବନ ମନୋଅକ୍ସାଇଡ୍ ଗ୍ୟାସ ନିର୍ଗତ ହୁଏ, ଯାହାକି ଆପଣଙ୍କ ହାର୍ଟ ଆଟାକର କାରଣ ସାଜିପାରେ । ଏହି ଗ୍ୟାସ ଦ୍ବାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ଗ୍ରାସ କରିପାରେ ।
କାର୍ବନ ମନୋଅକ୍ସାଇଡ ଗ୍ୟାସ୍ କାଠ ଜାଳେଣି ଜାଳିବା ଓ ହିଟର ଜାଳିବା ଦ୍ବାରା ନିର୍ଗତ ହୋଇଥାଏ । ଯଦି ଆପଣ ରୁମ ହିଟର ବ୍ୟବହାର କରିବେ ତେବେ ସେହି ଗୃହକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରନ୍ତୁ ନାହିଁ,କାରଣ ବନ୍ଦ ରୁମରେ ଏହା ବହୁତ ଶୀଘ୍ର ଏକତ୍ରିତ ହେବା ସହ ଜମା ହୋଇରୁହେ । WHOର ମୁତାବିକ କାର୍ବନ ମନୋଅକ୍ସାଇଡର ସାଧାରଣ ସ୍ତର ୩.୫ ପିପିଏମ୍ ହୋଇଥାଏ । ଯେତେବେଳେ ଏହି ସ୍ତର ୧୦୦ରୁ ଉପରକୁ ଯାଏ ତେବେ ତାହା ମାନବ ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ ।
ଏହାର ପ୍ରଭାବରେ ଯେଉଁ ଲକ୍ଷଣ ଦେଖାଯାଏ ତାହା ମୁଣ୍ଡ ବିନ୍ଧାରୁ ଆରମ୍ଭ ହୋଇଥାଏ । ଧିରେ ଧିରେ ମୁଣ୍ଡ ବୁଲାଇବା ସହ ଅସୁସ୍ଥତା ଅନୁଭବ ହୁଏ । ବର୍ତ୍ତମାନ ସାରା ଦେଶରେ ଶୀତ ଲହରୀ ଚାଲିଛି । ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଘରକୁ ରୁମ୍ ହିଟର ଦ୍ବାରା ଗରମ ରଖିଥାନ୍ତି । ଯାହା ଦ୍ବାରା ଥଣ୍ଡାରୁ ରକ୍ଷା ତ ମିଳିଥାଏ କିନ୍ତୁ ଅନେକ ଶାରୀରିକ ସମସ୍ୟା ଦେଖାଦିଏ । ତେଣୁ ଏହାକୁ ଅଧିକ ବ୍ୟବହାର ନକରି ଗରମ ପୋଷାକକୁ ପ୍ରାଧାନ୍ୟ ଦେବା ସହ ବ୍ୟବହାର କରିବା ମଧ୍ୟ ଭଲ ।