କଳାକାରଙ୍କ କଷ୍ଟ କାହାଣୀ । ବିନା ପ୍ରଶିକ୍ଷଣରେ କୁମାର ସାନୁଙ୍କ ଅନ୍ଦାଜରେ ଗୀତ ଗାଉଛନ୍ତି ନବରଙ୍ଗପୁରର ରଂଜନ । ସଂଗୀତ ସାଧନା କ୍ଷେତ୍ରରେ ବାଧକ ସାଜିଛି ଆର୍ଥିକ ସମସ୍ୟା ।

131

କନକ ବ୍ୟୁରୋ : କଳାକାରଙ୍କର ଅନେକ କାହାଣୀ । କିଏ କଳାକୁ ନେଇ ପରିଚିତ ତ, ଆଉ କିଏ କଳା ଓ ପ୍ରତିଭାକୁ ଆଶ୍ରା କରି ଜୀବନ ଜିଇଁବାକୁ ଚେଷ୍ଟା କରୁଛନ୍ତି । ଏମିତି ଅନେକ କଳାକାରଙ୍କ କାହାଣୀ ଆପଣମାନେ ଜାଣିଛନ୍ତି । ଆଜି ଆମେ ଏମିତି ଜଣେ କଳାକାରଙ୍କ କଥା କହିବୁ, ଯିଏ ପିଲା ଦିନୁ କଣ୍ଠଶିଳ୍ପୀ ହେବାକୁ ସ୍ୱପ୍ନ ଦେଖିଥିଲେ, କିନ୍ତୁ ପରିସ୍ଥିତି ତାଙ୍କୁ ଆଜି ଚିତ୍ର ଶିଳ୍ପୀ ସଜେଇ ଦେଇଛି ।

କାନ୍ଥରେ ରଙ୍ଗ ମାରିଲେ ପେଟ ପୂରିବ । କାନ୍ଥ ଚୂନ କରୁଥିବା ଏହି ଯୁବକଙ୍କ ଜୀବନର ପ୍ରକୃତ ରଙ୍ଗ ସଂଗୀତରେ ହିଁ ରହିଛି । ସଂଗୀତକୁ ସାଥୀ କରି ଆଗକୁ ବଢିବା ପାଇଁ ମନରେ ଅନେକ ସ୍ୱପ୍ନ ଅଛି । ହେଲେ ଆର୍ଥିକ ଅନଟନ ପ୍ରତିଭାଙ୍କ ଆଗରେ ପ୍ରତିବନ୍ଧକ ସାଜିଛି । ବିନା ପ୍ରଶିକ୍ଷଣରେ କୁମାର ସାନୁଙ୍କ ଅନ୍ଦାଜରେ ଗୀତ ଗାଉଛନ୍ତି ନବରଙ୍ଗପୁର ଉମରକୋଟ୍ ସହରର ରଂଜନ ।

ରଂଜନ ବିଭିନ୍ନ ପ୍ରତିଭାର ଅଧିକାରୀ । ସୁନ୍ଦର ଗୀତ ଗାଇ ଗାଇ କାନ୍ଥ ରଙ୍ଗ କରିବା ସହ ଖୁବ୍ ସୁନ୍ଦର ଚିତ୍ର ମଧ୍ୟ ଆଙ୍କନ୍ତି । ପିଲା ଦିନେ ସ୍କୁଲରେ ଗୀତ ଗାଇ ପୁରସ୍କୃତ ହୋଇଛନ୍ତି ରଂଜନ । କିନ୍ତୁ ବଡଭାଇଙ୍କ ମୃତ୍ୟୁ ପରେ ଭାଙ୍ଗିଗଲା ତାଙ୍କ ସ୍ୱପ୍ନ । ରାସ୍ତା ବଦଳି ଗଲା । ରଙ୍ଗ କାମକୁ ପେଶା ଭାବେ ଆଦରି ନେଲେ । ଘର ଓ ସରକାରୀ ଅଫିସ କାନ୍ଥରେ ରଙ୍ଗ କରି ପରିବାର ପୋଷୁଛନ୍ତି ସିନା ଗୀତ ଗାଇବା ଛାଡି ନାହାନ୍ତି ରଂଜନ । ରଙ୍ଗ କରିବା ବେଳେ ରଂଜନ ଗୀତ ଗାଆନ୍ତି, ଆଉ ତାଙ୍କ ଗୀତ ଶୁଣିଶୁଣି କାମ କରିଥାନ୍ତି ସାଥୀ ରଙ୍ଗମିସ୍ତ୍ରୀ ।

ସୋସିଆଲ ମିଡିଆ ଜରିଆରେ ଅନେକ ପ୍ରତିଭା ସାମ୍ନାକୁ ଆସିଛନ୍ତି । ସେମିତି ଜଣେ ପ୍ରତିଭା ହେଉଛନ୍ତି ନବରଙ୍ଗପୁରର ରଂଜନ । ତାଙ୍କୁ ବି ସହଯୋଗ ମିଳିଲେ ସେ ବି ଗୀତ ଗାଇ ଆପଣମାନଙ୍କ ମନୋରଂଜନ କରିବା ସହ ତାଙ୍କ ସ୍ୱପ୍ନ ପୂରଣ କରିପାରନ୍ତେ ।