ଅନୁଗୁଳରେ ଲାଗିଛି ‘ଲାଇଫ ଲାଇନ୍ ଏକ୍ସପ୍ରେସ୍’ । ଟ୍ରେନ ଭିତରେ ଗରିବ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି ବିଶେଷଜ୍ଞ ଡାକ୍ତର ।

111

କନକ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲା ଲାଇଫ ଲାଇନ୍ ଏକ୍ସପ୍ରେସ୍ । ଆସନ୍ତା ୩୦ ଯାଏଁ ଲୋକେ ପାଇବେ ମାଗଣା ଚିକିତ୍ସା ସୁବିଧା । ହସ୍ପିଟାଲ ଇନ୍ ଟ୍ରେନ୍ ଅର୍ଥାତ୍ ଟ୍ରେନ୍ ଭିତରେ ଡାକ୍ତରଖାନା । ଅନୁଗୁଳ ରେଳ ଷ୍ଟେସନରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛି ଏହି ହସ୍ପିଟାଲ ଟ୍ରେନ । ଭାରତରେ ହସପିଟାଲ ଇନ୍ ଟ୍ରେନ୍ ଗଡୁଥିବା ବେଳେ ଋଷିଆ ଭଳି ଅନ୍ୟ କେତେକ ଦେଶ ମଧ୍ୟ ଏହି ପଦକ୍ଷେପ ନେବାକୁ ନିଷ୍ପତି ନେଇଥିବା ଇମ୍ପାକ୍ଟ ଫାଉଣ୍ଡେସନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ଅନୁଗୁଳ ଷ୍ଟେସନରେ ମିଳୁଛି ମାଗଣା ଚିକିତ୍ସା ସୁବିଧା, ତାହା ପୁଣି ଟ୍ରେନ୍ ଭିତରେ । ନଭେମ୍ବର ୧୫ରୁ ଷ୍ଟେସନରେ ମିଳୁଥିବା ହସ୍ପିଟାଲ ସେବା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଟ୍ରେନ ଭିତରେ ରହିଛି ଅତ୍ୟାଧୁନିକ ଅସ୍ତ୍ରୋପଚାର ଯନ୍ତ୍ରପାତି । ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଓ ଅନ୍ୟାନ୍ୟ ସ୍ଥାନରୁ ଅଭିଜ୍ଞ ଡ଼ାକ୍ତରମାନେ ଆସି ରୋଗୀଙ୍କୁ ଚିକିତ୍ସା କରିବା ବ୍ୟବସ୍ଥା ରହିଥିବାରୁ ଏହାକୁ ଲାଇଫ୍ ଲାଇନ୍ ଏକ୍ସପ୍ରେସ କୁହାଯାଉଛି । ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯିବା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ତେଣୁ ଜିଲ୍ଲାବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ କରିଛି ଏହାର ପରିଚାଳନା ସଂସ୍ଥା ।

ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳର ଗରିବ ରୋଗୀଙ୍କୁ ଚିକତ୍ସା ଯୋଗାଇ ଦେବା ଉଦ୍ଦେଶ୍ୟରେ ୧୯୯୧ ମସିହାରୁ ଲାଇଫ୍ ଲାଇନ୍ ଏକ୍ସପ୍ରେସ ଟ୍ରାକରେ ଗଡୁଛି । ଏହି ସେବା ଯୋଗାଉଥିବା ସଂସ୍ଥାକୁ ରେଳ ବିଭାଗ ପକ୍ଷରୁ ୭ଟି ବଗି ବିଶିଷ୍ଟ ଏକ ଟ୍ରେନ୍ ଯୋଗାଇ ଦିଆଯାଇଛି । ଟ୍ରେନରେ ୨ଟି ଅସ୍ତ୍ରୋପଚାର ବଗି ରହିଛି । ଆଖି, କାନ, ଗୋଡ଼, ହାତ ସହ ମହିଳାଙ୍କ ବିଭିନ୍ନ ରୋଗର ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଲାଇଫ୍ ଲାଇନ୍ ଏକ୍ସପ୍ରେସରେ ।

ହସ୍ପିଟାଲ ଇନ୍ ଟ୍ରେନରେ ଖର୍ଚ୍ଚ ପାଇଁ ସରକାରଙ୍କ ସମେତ ବଡ଼ ବଡ଼ ଶିଳ୍ପ ଅନୁଷ୍ଠାନ ପାଣ୍ଠି ଯୋଗାଇ ଦେଉଛନ୍ତି । ବିଭିନ୍ନ ରାଜ୍ୟ ସରକାରଙ୍କ ସହଯୋଗରେ ଫାଉଣ୍ଡେସନ ବିଭିନ୍ନ ସ୍ଥାନକୁ ଯାଇ ଚିକିତ୍ସା ଯୋଗାଉଛନ୍ତି । ଟ୍ରେନ ଗୋଟିଏ ଷ୍ଟେସନରେ ପହଞ୍ଚିବା ପରେ ସଂସ୍ଥାର ୩ଟି ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ିରେ ରୋଗୀଙ୍କୁ ଟ୍ରେନ ପାଖକୁ ଅଣାଯାଉଛି । ପ୍ରଥମେ ରୋଗୀଙ୍କ ନାମ ପଞ୍ଜିକରଣ କରାଯାଉଛି । ଏହାପରେ ପରୀକ୍ଷା ନିରୀକ୍ଷା କରାଯାଉଛି । ଆବଶ୍ୟକ ପଡିଲେ ଅସ୍ତ୍ରୋପଚାର କରାଯାଉଛି । ହସ୍ପିଟାଲ ଇନ୍ ଟ୍ରେନ ପ୍ରଥମ ଥର ପାଇଁ ଅନୁଗୁଳରେ ପହଂଚିଥିବାରୁ ଗାଁ ଗହଳିରେ ଗରିବ ରୋଗୀମାନଙ୍କ ପାଇଁ ଆଶାର ସଂଚାର ହୋଇଛି । ଅର୍ଥ ଅଭାବରୁ ଅଟକି ଯାଇଥିବା ଚିକିତ୍ସା ଆଗକୁ ଯିବ ବୋଲି ବିଶ୍ୱାସ ରହିଛି ।