କନକ ବ୍ୟୁରୋ : ଚାରିଆଡେ ଏବେ କରୋନା ଦ୍ୱିତୀୟ ଲହରର ଭୟ । ଏଭଳି ଘଡିସନ୍ଧି ମୁହୂର୍ତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଆଶା ସଂଚାର କରିବା ଭଳି ଖବର । ବାଲେଶ୍ୱର ରେମୁଣାରେ କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ଶତାୟୁ । ଗୁରୁତର ହେବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି । ସେହିଭଳି କେନ୍ଦ୍ରାପଡା ଓ ବାରିପଦାରୁ ବି ଆସିଛି ଏଭଳି ଭଲ ଖବର ।
ବାଲେଶ୍ୱର ରେମୁଣା ବରୁଆଁ ଅଞ୍ଚଳର ଶତାୟୁ ଦୟାନିଧି ପଣ୍ଡା । ବୟସ ୧୦୭ ବର୍ଷ । ଆଉ ଏହି ବୟସରେ ନିରାଶା ଭିତରେ ଆଶାର କିରଣ ସୃଷ୍ଟି କରିଛନ୍ତି ଦୟାନିଧି । ଏହି ବୟସରେ ସୁସ୍ଥ ହୋଇ କରୋନାକୁ ମାତ ଦେଇଛନ୍ତି । ଦୟାନିଧିଙ୍କୁ ହଠାତ୍ ଜ୍ୱର ଆସିବା ପରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । କରୋନା ଚିହ୍ନଟ ହୋଇ ଚିକିତ୍ସିତ ହେବା ପରେ ଦୟାନିଧି ସୁସ୍ଥ ହୋଇଛନ୍ତି । ଅକ୍ସିଜେନ ସ୍ତର ସାଧାରଣ ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ବି ଭଲ ଅଛି ।
ସେହିଭଳି କରୋନାରୁ ସୁସ୍ଥ ହୋଇ ନୂଆ ଆଶା ସଂଚାର କରିଛନ୍ତି କେନ୍ଦ୍ରାପଡାର ଆଇନଜୀବୀ ଇତିହାସ ଲେଙ୍କା । ଗତବର୍ଷର ଅନୁଭୂତିକୁ ସେ ଭୁଲି ନାହାନ୍ତି । କୌଣସି ଲକ୍ଷଣ ନ ଥାଇ ବି ଇତିହାସ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଘରୋଇ ସଙ୍ଗରୋଧରେ ରହିବା ପରେ ହଠାତ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ୧୭ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ନୂଆ ଜୀବନ ପାଇଛନ୍ତି ।
ସେହିଭଳି ବାରିପଦାର କୃଷ୍ଣଚନ୍ଦ୍ର ମହାପାତ୍ର କରୋନାକୁ ମାତ ଦେଇ ନୂଆ ଜୀବନ ପାଇଛନ୍ତି । ୧୫ ସେପେଟମ୍ବରରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତି କରାଯାଇଥିଲା । ତାଙ୍କର ଅକ୍ସିଜେନ ସ୍ତର ବି କମ୍ ହୋଇଯାଇଥିଲା । କିନ୍ତୁ କରୋନାକୁ ହରାଇ ନୂଆ ଆଶା ସଂଚାର କରିଛନ୍ତି କୃଷ୍ଣଚନ୍ଦ୍ର ।