କରୋନାରେ ଚାଲିଗଲା ଜୀବନ । ୧୫ ଘଂଟା ଧରି ପଡ଼ି ରହିଲା ଶବ, ଶୁଣିଲାନି ପ୍ରଶାସନ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ହେଲା ଶବଦାହ ।

184

କନକ ବ୍ୟୁରୋ: କରୋନା କାଳରେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମଣିଷ କେବେ କଳ୍ପନା କରିନଥିଲା । ଗୋଟିଏ ମୃତଦେହକୁ ଜରିରେ ଗୁଡାଇ ଦିଆଯାଇଛି । ଆଉ ଶବକୁ ଦାହ କରିଛନ୍ତି ୪ ଜଣ ସ୍ୱେଚ୍ଛାସେବୀ । କାହିଁକି ନାଁ ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିବାରୁ ୧୫ ଘଂଟା ଧରି ପଡିରହିଥିଲା ଶବ । ହେଲେ ପ୍ରଶାସନ ଶୁଣିଲାନି ଆଉ ଶବକୁ ମିଳିଲାନି ସମ୍ମାନ । ତେଣୁ ଶେଷରେ ସ୍ୱେଚ୍ଛାସେବୀଙ୍କ ପ୍ରୟାସରେ ହୋଇଛି ଅନ୍ତିମ ସଂସ୍କାର ।

୨୧ ତାରିଖ ଅପରାହ୍ନରେ ବରଗଡ ପଦ୍ମପୁର ଅନ୍ତର୍ଗତ ଘନାମାଲ ଗାଁର ସତ୍ୟାନନ୍ଦ ସାହୁଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ଓ ସରପଂଚଙ୍କୁ ପରିବାର ଲୋକେ ଜଣାଇଥିଲେ । ଏପରିକି ବ୍ଲକ ପ୍ରଶାସନକୁ ମଧ୍ୟ ଅବଗତ କରାଇଥିଲେ । କେହି ନଶୁଣିବାରୁ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ଓ ପଶ୍ଚିମ ଓଡିଶା ଯୁବାମଂଚର ସଦସ୍ୟମାନେ ଏହିପରି ଶବସକ୍ରାର କରିଥିଲେ । ରାତି ୨ଟାରେ ଶବବାହକ ଆସିବା ପରେ ୧୫ ଘଂଟାର ଅପେକ୍ଷା ପରେ ହୋଇଥିଲା ଶବସତ୍କାର ।

ସେପଟେ ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ । ଏମାନେ ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ ଓ କରୁଣାକର ସାହୁ । ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନାରେ ଆଖି ବୁଜିଛନ୍ତି ନିତିଦିନ ଖବରକାଗଜର ଚିକିଟି ପ୍ରତିନିଧି ମନୋଜ କୁମାର ସାହୁ । ସେ ମଧ୍ୟ ବ୍ରହ୍ନପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ମଙ୍ଗଳବାର କରୋନାରେ ଆଖି ବୁଜିଥିଲେ ଅନୁପମ ଭାରତର ସେରଗଡ ବ୍ଲକ ପ୍ରତିନିଧି କରୁଣାକର ସାହୁ । ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।