କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତ ହୋଇ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ ଘଟିଛି । ତାଙ୍କର ମୃତ୍ୟୁର କିଛି ଘଂଟା ପୂର୍ବରୁ ସୋସିଆଲ୍ ମିଡିଆରେ ନବୀନ ନନ୍ଦ ଏକ ପୋଷ୍ଟ କରିଥିଲେ । ସେଥିରେ ଲେଖିଥିଲେ, ତାଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା କ୍ରିଟିକାଲ୍ ରହିଛି । ଇସିଏମଓ ଚିକିତ୍ସା ତୁରନ୍ତ ଆବଶ୍ୟକ ହେଉଥିବାରୁ ସହାୟତା କରିବା ପାଇଁ ସେ ଅନୁରୋଧ କରିଥିଲେ । ଯେଉଁ ହସପିଟାଲରେ ସମ୍ବିତ ନନ୍ଦଙ୍କ ଚିକିତ୍ସା ଚାଲିଥିଲା, ସେଠାରେ ଏହି ଚିକିତ୍ସା ସୁବିଧା ନଥିବା କହିଥିଲେ ନବୀନ ନନ୍ଦ ।

Advertisment

ଅତି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା ଲାଗି ଇସିଏମଓ ଚିକିତ୍ସା କରାଯାଏ । ଆକ୍ରାନ୍ତଙ୍କ ହାର୍ଟ ଓ ଫୁସଫୁସ ଦୁର୍ବଳ ହୋଇଗଲେ, କୃତ୍ରିମ ଉପାୟରେ ଶ୍ୱାସକ୍ରିୟା ଚାଲୁ ରଖାଯାଏ । ତେବେ ଏହି ଚିକିତ୍ସା ସୁବିଧା ଖୁବକମ ଡାକ୍ତରଖାନାରେ ଉପଲ୍ୱଧ ହୋଇଥାଏ ।

ନଜର ପକାନ୍ତୁ, କେମିତି କାମ କରେ ଇସିଏମଓ ମେସିନ୍?
ଏହା ଏକ କୃତ୍ରିମ ଶ୍ୱାସକ୍ରିୟା ମେସିନ୍
କୃତ୍ରିମ ଉପାୟରେ ରକ୍ତରେ ଅମ୍ଳଜାନ ଭରିଥାଏ
ଅଙ୍ଗାରକାମ୍ଳ ନିଷ୍କାସନ କରିଥାଏ
ବେକ, ଛାତି କିମ୍ବା ଜଙ୍ଘରେ ପ୍ଲାଷ୍ଟିକ୍ ଟ୍ୟୁବ ଭର୍ତ୍ତି କରାଯାଏ
ରୋଗୀ ଦେହର ରକ୍ତ ପ୍ଲାଷ୍ଟିକ ଟ୍ୟୁବ ମଧ୍ୟରେ ପ୍ରବାହିତ ହୁଏ
ଅକ୍ସିଜେନେଟର ବା କୃତ୍ରିମ ଫୁସଫୁସ୍ ସହ ଏହା ସଂଯୋଗ ହୋଇଥାଏ
ଅକ୍ସିଜେନେଟର ରକ୍ତରେ ଅମ୍ଳଜାନ ଭରିବା ସହ ରକ୍ତରୁ ଅଙ୍ଗାରକାମ୍ଳ ଗ୍ୟାସ୍ କାଢ଼ିନିଏ
ରୋଗୀଙ୍କ ହାର୍ଟ, ଲଙ୍ଗ୍ସ କାମ କରୁନଥିଲେ, ଏହି ପ୍ରକ୍ରିୟାରେ ରକ୍ତରେ ଅମ୍ଳଜାନ ମିଶାଯାଇଥାଏ
କରୋନାରେ ଅତି ଗୁରୁତର ହୋଇଥିବା ରୋଗୀଙ୍କ ପାଇଁ ଏହି ଚିକିତ୍ସା ବରଦାନ ଭଳି

ଇସିଏମଓ ମେସିନ୍ ବ୍ୟୟବହୁଳ ଏବଂ ଯେତେବେଳେ ଚାଲିଥିବା ଚିକିତ୍ସା ବ୍ୟବସ୍ଥା ପ୍ରଭାବୀ ହୁଏନାହିଁ ସେତେବେଳେ ଏହି ମେସିନର ଆବଶ୍ୟକତା ପଡେ । ଶରୀରକୁ ଫୁସଫୁସ ଆବଶ୍ୟକୀୟ ଅମ୍ଳଜାନ ଯୋଗାଇ ନପାରିଲେ ଏବଂ ଶରୀରକୁ ଆବଶ୍ୟକୀୟ ରକ୍ତ, ହାର୍ଟ ପମ୍ପିଙ୍ଗ ନକରିପାରିଲେ ଏହି ମେସିନ ଦ୍ୱାରା ରୋଗୀକୁ ବଂଚାଇ ରଖିବାକୁ ଉଦ୍ୟମ କରାଯାଏ ।

ସୂଚନା ଅନୁସାରେ ରାଜ୍ୟରେ ଏହି ଇସିଏମଓ ମେସିନର ଅଭାବ ରହିଛି । ଏପରିକି ହାତଗଣତି ଦୁଇଟି ବେସରକାରୀ ହସ୍ପିଟାଲକୁ ଛାଡିଦେଲେ ଅନ୍ୟ କୈାଣସି ସ୍ଥାନରେ ଏହା ଉପଲବ୍ଧ ମାହିଁ । ଫଳରେ କୋଭିଡ ରୋଗୀ ଯେତେବେଳେ ଗୁରୁତର ହୋଇ ଏହି ମେସିନକୁ ଆବଶ୍ୟକ କରୁଛନ୍ତି, ସେତେବେଳେ ଏହା ସେମାନଙ୍କୁ ମିଳିପାରୁନାହିଁ । ଏପରିକି କିଛି ଦିନ ତଳେ ଯେତେବେଳେ ବିରୋଧୀ ଦଳ ନେତାଙ୍କୁ ଇସିଏମଓ ମେସିନର ଆବଶ୍ୟକତା ଥିବା କୁହାଗଲା, ସେତେବେଳେ ଏମ୍ସ ନିଜର ଅସହାୟତା ବ୍ୟକ୍ତ କରିଥିଲା, କାରଣ ଏମ୍ସରେ ସେତେବେଳେ ଏହି ବ୍ୟବସ୍ଥା ଉପଲବ୍ଧ ନଥିଲା ।

କୋଭିଡ ରୋଗୀ ଯେଉଁମାନେ ଗୁରୁତର ହେଉଛନ୍ତି, ସେମାନଙ୍କର ଫୁସଫୁସ ଭୀଷଣ ଭାବେ ପ୍ରଭାବିତ ହେଉଛି । ଏହା ଫଳରେ ଶରୀରରେ ଅଙ୍ଗାରକାମ୍ଳର ମାତ୍ରା ବଢିଯାଏ । ତେଣୁ ଅମ୍ଳଜାନ ପାଇଁ ଶ୍ୱାସକ୍ରିୟା ଧୀରେ ଧୀରେ ବଢେ । ହେଲେ ଫୁସଫୁସ ପ୍ରଭାବିତ ଥିବାରୁ ଏହା ସ୍ୱାଭାବିକ ହୋଇପାରେ ନାହିଁ । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଘାତକ ହୋଇଥାଏ ।