ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଜାଣନ୍ତୁ କିଏ ଦେଇଛି ଏଭଳି ହତ୍ୟା ଧମକ?

226

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ । ଉତ୍ତରପ୍ରଦେଶରେ ଭୋଟ ପଡିବା ପୂର୍ବରୁ ଏଭଳି ଏକ ହତ୍ୟା ଧମକ ଏବେ ଉତ୍ତରପ୍ରଦେଶ ରାଜନୀତିକୁ ସରଗରମ କରିଛି । ଟ୍ୱିଟରରେ LadyDone3 ନାମକ ଏକ ପ୍ରୋଫାଇଲରୁ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ପୋଲିସ ତତ୍ପର ହୋଇ ଉଠିଛି । ଏପରିକି ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡାକଡି କରାଯାଇଛି । ଏହି ହତ୍ୟା ଧମକ ମାମଲାକୁ ନେଇ ହାପୁଡ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ।

ଏହି ଧମକପୂର୍ଣ୍ଣ ଟ୍ୱିଟରେ ଲେଖାଯାଇଛି ଯେ, ଓୱେସି ତ କେବଳ ମୋହରା ଥିଲେ, କିନ୍ତୁ ଅସଲ ଟାର୍ଗେଟ ହେଉଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପିର ସବୁ ଗାଡିରେ ଆରଡିଏକ୍ସ ଆକ୍ରମଣ ହେବ । ଉତ୍ତରପ୍ରଦେଶ ପୋଲିସକୁ ଟ୍ୟାଗ କରିବା ସହିତ ଲେଖାଯାଇଛି ଯେ, ନିଜ ଟିମ୍ ନିୟୋଜିତ କର, ଦିଲ୍ଲୀକୁ ଦେଖ ନାହିଁ । ଯୋଗୀଙ୍କୁ ହତ୍ୟା କରାଯିବ । କେବଳ ଏହି ଗୋଟିଏ ଟ୍ୱିଟ୍ ନୁହେଁ LadyDone3 ନାମକ ଏହି ଟ୍ୱିଟର ହ୍ୟାଣ୍ଡେଲରୁ ଅଲିଗଡ ପୋଲିସକୁ ଟ୍ୟାଗ୍ କରି ଯୋଗୀ ଆଦିତ୍ୟନାଥଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଇଛି । ଯୋଗୀ ଆଦିତ୍ୟନାଥ ସୂର୍ଯ୍ୟ ମଧ୍ୟ ଦେଖିପାରିବେ ନାହିଁ । ଉତ୍ତରପ୍ରଦେଶର ମେରଠ ଅଞ୍ଚଳର ସୀମା ସିଂ ବୋମା ସହ ଆସିବେ ଓ ଯୋଗୀଙ୍କ ମୃତ୍ୟୁର କାରଣ ସାଜିବେ ।

ଏହି ଟ୍ୱିଟ୍ ପରେ ହାପୁଡ ପୋଲିସ ପକ୍ଷରୁ ମଧ୍ୟ ଟ୍ୱିଟର ରିପ୍ଲାଏ କରି ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଆକ୍ସନ ମୋଡକୁ ଆସିବା ପରେ ଏହି ଟ୍ୱିଟର ପ୍ରୋଫାଇଲ ଆଉ ଦେଖାଉ ନାହିଁ । ତେବେ ଏହି ପ୍ରୋଫାଇଲ ଡିଲିଟ ହେବା ପୂର୍ବରୁ ଏହାର ସ୍କ୍ରିନସଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।