ସାନଭାଇକୁ ପାଠ ପଢାଇବି, ବଡ ମଣିଷ କରିବି । ଅଭାବ ରୋକିପାରିବନି ବାଟ, ସାନଭାଇ ପାଇଁ ଗ୍ରାଜୁଏଟ ଭଉଣୀ ଉଠାଉଛି ଅଳିଆ ଝୁଡି । ଏ କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି ମମସ୍ପର୍ଶୀ ମଧ୍ୟ । 

271
କନକ ବ୍ୟୁରୋ : ଗୋଟିଏ ହାତରେ ଗ୍ରାଜୁଏସନ ଡିଗ୍ରୀ, ଆଉ ଅନ୍ୟ ହାତରେ ଅଳିଆ ଝୁଡି । ଯେଉଁ ହାତରେ ପୂର୍ବରୁ କଲମ ଥିଲା, ସେହି ହାତରେ ଏବେ ଅଳିଆ ଉଠାଉଛନ୍ତି ଗ୍ରାଜୁଏଟ ଛାତ୍ରୀ । ଆଉ ଏହା ପଛରେ ରହିଛି ସେହି ଅଭାବୀ ଘରର କାହାଣୀ । କ୍ୟାମେରା ଆଗରେ କୋହ ସମ୍ଭାଳି ପାରିନାହାନ୍ତି, ଆଉ ନିଜ ପରିବାରର ଅଭାବୀ କାହାଣୀ କହୁ କହୁ କାନ୍ଦିପକାଇଛନ୍ତି । ତୁ ଏତେ ପାଠ ପଢିଛୁ, ପୁଣି ଏହି କାମ କରିବୁ । ଲୋକେ ଓ ସାଙ୍ଗସାଥୀ କଣ ଭାବିବେ । ପରିବାର ଲୋକଙ୍କ ଏହି ପ୍ରଶ୍ନର ଉତ୍ତରରେ  ଯୁବତୀ ଜଣକ ଯାହା କହିଛନ୍ତି ତାହା ଆପଣଙ୍କୁ ବି ପ୍ରଭାବିତ କରିବ ।
ଏ କାହାଣୀ ହେଉଛି ମାଲକାନିଗିରିର ଏମ.ଭି ୩ ଗାଁର ଉଚ୍ଚଶିକ୍ଷିତ ଯୁବତୀ ମେରିୟମ ହେମ୍ବମ୍ରଙ୍କର  । ଗ୍ରାଜୁଏସନ ଶେଷ କରିଥିଲେ, ଭଲ ଚାକିରୀର ସ୍ୱପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ଅର୍ଥର ଅଭାବ ଆଉ ଆଗକୁ ବଢିବାକୁ ସୁଯୋଗ ଦେଇନଥିଲା । ସ୍ୱପ୍ନ ମରି ଆସୁଥିଲା, ଅଭାବ ବଢି ଚାଲିଥିଲା । ପରିବାରର ସ୍ଥିତି ଦେଖି ଆଉ ଚୁପ୍ ବସିବା ଅବସ୍ଥାରେ ନଥିଲେ ମେରିୟମ । ମାଲକାନଗିରି ପୌରାଞ୍ଚଳରେ ଚାକିରି ବାହାରିଥିବା ଜାଣି ଏଥିରେ ଯୋଗ ଦେବାକୁ ମନସ୍ଥିର କରିଥିଲେ ମେରିୟମ । ତେବେ ଚାକିରି ଥିଲା ପ୍ରତିଦିନ ଘର ଘର ବୁଲି ବର୍ଜ୍ୟ ବସ୍ତୁ ଓ ଅଳିଆ ସଂଗ୍ରହ କରିବା । ଉଚ୍ଚଶିକ୍ଷିତ ଝିଅ ପୁଣି ଅଳିଆ ଉଠାଇବ,  ଏହାକୁ ଗ୍ରହଣ କରିବା ପରିବାର ପକ୍ଷେ ସହଜ ନଥିଲା । କିନ୍ତୁ ମେରିୟମ ନିଜ ଗୋଡରେ ଛିଡା ହେବା ଲକ୍ଷ୍ୟରେ ଏହି ଚାକିରିକୁ ହସି ହସି ଗ୍ରହଣ କରିଥିଲେ ।  କ୍ୟାମେରା ଆଗରେ ନିଜ କାହାଣୀ କହିବା ବେଳେ ଆଖିରୁ ଲୁହ ଝରୁଥିଲା ସତ କିନ୍ତୁ ସାନଭାଇକୁ ପଢାଇବାର ଝୁଙ୍କ ଆଗରେ ସବୁ ଲୁହକୁ ଲହୁ କରି ପିଇବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ମେରିୟମ ।
କେବଳ ମେରିୟମ ନୁହଁନ୍ତି ମାଲାକାନଗିରି ପୌରାଞ୍ଚଳରେ ଏମିତି ଏକାଧିକ ଉଚ୍ଚଶିକ୍ଷିତ ଯୁବତୀ ସ୍ୱଚ୍ଛ କର୍ମୀ ଭାବେ କାମ କରୁଛନ୍ତି । ସକାଳ ହେବା କ୍ଷଣି ଇ-ରିକ୍ସା ଧରି ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହ କରନ୍ତି ଏହି ଯୁବତୀ ମାନେ । ନା ମନରେ କେବେ ଦ୍ୱିଧା ରଖିଛନ୍ତି ନା ଏଭଳି କାମ କରୁଥିବା ନେଇ ଅବଶୋଷ । କୌଣସି କାମ ଛୋଟ ନୁହେଁ, କିଛି ଏଭଳି ମାନସିକତା ନେଇ ଦୁଇ ଉଚ୍ଚଶିକ୍ଷିତ ଭଉଣୀ ଉର୍ମିଳା ଓ ନିର୍ମଳା ମଧ୍ୟ ଏହି କାମକୁ ଆଦରି ନେଇଛନ୍ତି । ଆଉ ଅଳିଆ ସଂଗ୍ରହ ସହ ବାଣ୍ଟୁଛନ୍ତି ସ୍ୱଚ୍ଛତାର ବାର୍ତ୍ତା ।
ମାଲକାନଗିରି ଜିଲ୍ଲାର ମୋଟ ୧୯ଟି ଓାର୍ଡ ରେ ବର୍ଜ୍ୟ ବସ୍ତୁ ସଂଗ୍ରହ ଲାଗି ମୋଟ ୨୦ ଟି ଇ-ରିକ୍ଶା ଯୋଗାଇ ଦେଇଛି ପ୍ରଶାସନ । ଆଉ ଓଦା ଓ ସୁଖିଲା ବର୍ଜ୍ୟବସ୍ତୁ କୁ ଅଲଗା ଅଲଗା ସଂଗ୍ରହ କରି ବର୍ଜ୍ୟ ବସ୍ତୁ ପରିଚାଳଣା କେନ୍ଦ୍ରକୁ ନିଅନ୍ତି ଏହି ୩ ସ୍ନାତକ ସ୍ୱଚ୍ଛ କର୍ମୀଙ୍କ ସହ ୪୦ ଯୁବତୀ । ମୋଦିଙ୍କ ସ୍ୱଚ୍ଛ ଭାରତ ପରିକଳ୍ପନାର ଏମାନେ ହେଉଛନ୍ତି ସଚ୍ଚା ସିପାହୀ  । ଆଉ ଏହି ଉଚ୍ଚଶିକ୍ଷିତ ଯୁବତୀଙ୍କ କାହାଣୀ ଅନ୍ୟଙ୍କୁ ପ୍ରେରଣା ଦେବ ନିଶ୍ଚୟ ।