ଗରିବ ବସ୍ତିରୁ କଟକର ଡେପୁଟି ମେୟର । ପଢନ୍ତୁ ଦମୟନ୍ତୀଙ୍କ ସଙ୍ଘର୍ଷ ଜୀବନରୁ ସଫଳତାର ଯାତ୍ରାର କାହାଣୀ।

314

କନକ ବ୍ୟୁରୋ: ଗରିବ ବସ୍ତିରୁ ଡେପୁଟି ମେୟର । ସଙ୍ଘର୍ଷ ଜୀବନରୁ ସଫଳତାର ଯାତ୍ରା । ଭଙ୍ଗା କୁଡିଆ ଘରୁ ସେ ଦେଖିଛନ୍ତି ବସ୍ତିର ଦୁଃଖ । ମାପିଛନ୍ତି ବସ୍ତିବାସିନ୍ଦାଙ୍କ ଅଦେଖା ଯନ୍ତ୍ରଣା । ପାଠପଢିବାକୁ ଯିବାବେଳେ ଭେଟିଛନ୍ତି ବ୍ୟବସ୍ଥାର ବିଡମ୍ବନାରେ ବାହୁନି କାନ୍ଦୁଥିବା ଚରିତ୍ରମାନଙ୍କୁ । ବର୍ଷା ହେଲେ ଘରେ ବାହାରେ ଆଣ୍ଠୁଏ ଆଣ୍ଠୁଏ ପାଣି, କୃତ୍ରିମ ବନ୍ୟାରେ ହନ୍ତସନ୍ତ ଜୀବନ । ଏମିତି ଅନେକ ସମସ୍ୟାର ସୀମା ଡେଇଁ ଶେଷରେ ସଫଳତା ପାଇଥିବା ଦମୟନ୍ତୀ ମାଝି ଏବେ ନିଜେ ଲୋକଙ୍କ ଦୁଃଖ ବୁଝି ସମସ୍ୟାର ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି । ଆଉ କଟକର ଡେପୁଟି ମେୟର ହେବା ପରେ ସେ ଲୋକଙ୍କ ପାଇଁ କାମ କରିବାକୁ ଆଶାବାଦୀ ଅଛନ୍ତି ।

ଆଜି ଦମୟନ୍ତୀଙ୍କୁ ସଫଳତା ମିଳିବା ପରେ ତାଙ୍କ ପାଖକୁ ଅନେକ ଶୁଭେଚ୍ଛାର ସୁଅ ଛୁଟୁଛି । ହେଲେ ତାଙ୍କ ସଫଳତାର ଯାତ୍ରା ବେଶ ସଂଘର୍ଷମୟ । ୫ ବର୍ଷ ତଳୁ ବାପାଙ୍କୁ ଛଡାଇ ନେଇଛି ନିଷ୍ଠୁର ବିଧାତା । ବାପା ଗଲା ପରେ ସେବେଠାରୁ ସାନ ଭାଇ ସାନ ଭଉଣୀଙ୍କ ଦାୟିତ୍ୱ ତାଙ୍କରି କାନ୍ଧରେ । ଦୁଃଖ କଷ୍ଟର ବାଧ୍ୟବାଧକତା ଭିତରେ ସେ ପାଠରେ ଆଗେଇ ଚାଲିଲେ । ଗୁରୁଜନଙ୍କ ଆଶୀର୍ବାଦ ନେଇ ବିକମ୍ ପାଠ ପଢା ଶେଷ କଲେ । ଆଉ ଏବେ ବସ୍ତି ପିଲାଙ୍କୁ ନିଜ ଭଳି ପାଠୁଆ କରିବାକୁ ଜାରି ରଖିଛନ୍ତି ପ୍ରୟାସ ।

ପାଠପଢାର ଭିଡ ଓ ପରିବାର ଚଳାଇବାର ଦାୟିତ୍ୱବୋଧ ଭିତରେ ସେ ରାଜନୀତିରେ ପାଦ ଦେଲେ ଆଉ ସଫଳ ବି ହେଲେ । କଟକ ଜଗତପୁର ବାଲିସାହି ବସ୍ତିରୁ ଦମୟନ୍ତୀ ମାଝୀ କଟକ ମହାନଗର ନିଗମ ଡେପୁଟି ମେୟର ଭାବେ ଦାୟିତ୍ୱ ନେଲେ । ଦମୟନ୍ତୀ ରାଜନୀତିରେ ନୂଆ ସତ ହେଲେ ଲୋକଙ୍କ ସେବା କରିବାକୁ ସେ ଭାରି ଆଗ୍ରହୀ । କାରଣ ପାଖରୁ ଲୋକଙ୍କ ଦୁଃଖ ଦେଖିଥିବା ଦମୟନ୍ତୀ ମନରେ କେବେ ନା କେବେ ଭାବନ୍ତି ସେବା କରିବା ପାଇଁ ସମାଧାନ କରିବା ପାଇଁ ।

ସମୟ ଓ ପରିସ୍ଥିତି ଦମୟନ୍ତୀଙ୍କୁ ଆଣି ଦେଇଛି ନୂଆ ପରିଚୟ । ଦମୟନ୍ତୀ ମାଝୀ ଏବେ କଟକର ଡେପୁଟି ମେୟର । କିଛି କରିବାର ଇଚ୍ଛା ନେଇ ଦାୟିତ୍ୱ ନେଇଥିବା ଦମୟନ୍ତୀ ଲୋକଙ୍କ ସ୍ୱର ସାଜନ୍ତୁ, ସମାଧାନର ସୂତ୍ର ସାଜନ୍ତୁ ଏହାହିଁ ଆଶା ।