କନକ ବ୍ୟୁରୋ: ଇତିହାସ ପୃଷ୍ଠାରେ ଆମେ ଅନେକ ରାଜା ମହାରାଜାଙ୍କ କାହାଣୀ ପଢିଛେ । ଅନେକ ରାଜା ଏ ଭାରତ ଭୂମିକୁ ଆସିଛନ୍ତି ଆଉ ଶାସନ କରିଛନ୍ତି । ହେଲେ ସେମାନଙ୍କ ଭିତରୁ ଏମିତି ଜଣେ ରାଜା ଥିଲେ ଯିଏ ଅଖଣ୍ଡ ଭାରତର ସ୍ୱପ୍ନକୁ ପୂରଣ କରିଥିଲେ । ଯାହାଙ୍କ ସାମ୍ରାଜ୍ୟ ଉତ୍ତରରେ ହିନ୍ଦୁକୁଶଠାରୁ ଦକ୍ଷିଣରେ ମହୀଶୁର, ପୂର୍ବରେ ବେଙ୍ଗଲଠାରୁ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ସେହି ସମ୍ରାଟ ଯିଏ ମହାନ ଗ୍ରୀକ୍ ଶାସକ ସିକନ୍ଦରଙ୍କ ସେନାପତି ସେଲ୍ୟୁକସକୁ ଦୁଇ ଦୁଇ ଥର ବନ୍ଧୀ କରି ଛାଡି ଦେଇଥିଲେ । ଏବଂ ଚାଣକ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ରକୁ ଆଧାର କରି ନିଜ ରାଜ୍ୟରେ ଶାସନ କରିଥିଲେ । ଇତିହାସ ସେହି ମହାନ ଶାସକଙ୍କୁ ଭାରତର ପ୍ରଥମ ଚକ୍ରବର୍ତ୍ତୀ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମରେ ଜାଣିଥାଏ ।

Advertisment

ଭାରତବର୍ଷ ସେତେବେଳେ ୧୮ଟି ମହାଜନପଦରେ ବିଭକ୍ତ ଥିଲା । ଯା ଭିତରେ ସବୁଠୁ ଶକ୍ତିଶାଳୀ ଥିଲା ମଗଧ । ମଗଧ ସାମ୍ରାଜ୍ୟକୁ ସେତେବେଳେ ନନ୍ଦ ବଂଶର ଶାସକ ଧନ ନନ୍ଦ ଶାସନ କରୁଥାନ୍ତି । ଆଉ ତାଙ୍କ ରାଜ୍ୟରେ ପ୍ରଜାମାନେ ଘୋର ଅତ୍ୟାଚାରର ଶିକାର ହେଉଥାନ୍ତି । ଏଭଳି ସମୟରେ ଚନ୍ଦ୍ରଗୁପ୍ତ ମଗଧରେ ନନ୍ଦବଂଶକୁ ଧ୍ୱଂସ କରିବା ସହିତ ମୌର୍ଯ୍ୟ ବଂଶର ମୂଳଦୁଆ ପକାଇଥିଲେ । ଏଥିରେ ମହାନ କୂଟନୀତିଜ୍ଞ ତଥା ଅର୍ଥଶାସ୍ତ୍ରି ଚାଣକ୍ୟ, ଚନ୍ଦ୍ରଗୁପ୍ତଙ୍କ ସାରଥୀ ସାଜିଥିଲେ । ଚାଣକ୍ୟଙ୍କ ପଣ ଯୋଗୁ ହିଁ ମଗଧରେ ନନ୍ଦ ବଂଶର ପତନ ଘଟିଥିଲା ।

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ବିଷୟରେ ଇତିହାସରେ ବହୁତ କିଛି ତଥ୍ୟ ମିଳିନଥାଏ । ଜୈନ ଓ ବୌଦ୍ଧ ଧର୍ମ ଗ୍ରନ୍ଥରୁ ଚନ୍ଦ୍ରଗୁପ୍ତଙ୍କ ବିଷୟରେ ଅଳ୍ପ କିଛି ସୂଚନା ମିଳିଥାଏ । କୁହାଯାଏ ଚନ୍ଦ୍ରଗୁପ୍ତଙ୍କ ଜନ୍ମ ଖୀଷ୍ଟପୂର୍ବ ୩୪୦ରେ ମୌର୍ଯ୍ୟ ବଂଶରେ ହୋଇଥିଲା । ଆଉ ତାଙ୍କ ମାଙ୍କ ନାଁ ଥିଲା ମୁରା । ଯେଉଁ କାରଣରୁ ତାଙ୍କ ବଂଶର ନାଁ ମୌର୍ଯ୍ୟ ବଂଶ ରହିଥିଲା ବୋଲି କୁହାଯାଏ । ପିଲାଟି ଦିନରୁ ଚନ୍ଦ୍ରଗୁପ୍ତ ବେଶ ବିଚକ୍ଷଣ ଓ ବୁଦ୍ଧିମାନ ଥିଲେ । ଯାହାକୁ ଦେଖିବା ପରେ ଚାଣକ୍ୟ ତାଙ୍କୁ ନେଇ ନିଜ ପାଖରେ ରଖିବା ସହିତ ତାଙ୍କୁ ରାଜକର୍ମ ଓ ଯୁଦ୍ଧକୌଶଳ ଶିକ୍ଷା ଦେଇଥିଲେ । ଚାଣକ୍ୟଙ୍କ ଯୋଜନା ଅନୁସାରେ ହିଁ ଚନ୍ଦ୍ରଗୁପ୍ତ ମଗଧରୁ ନନ୍ଦବଂଶର ନାଶ କରି ମୌଯ୍ୟ ବଂଶ ପ୍ରତିଷ୍ଠା କରିଥିଲେ ।

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନିଜର ୨୪ ବର୍ଷର ଶାସନ କାଳ ଭିତରେ ନିଜର ସାମ୍ରାଜ୍ୟକୁ ଉତରରେ ହିନ୍ଦୁକୁଶଠାରୁ ଦକ୍ଷିଣରେ ମହୀଶୁର, ପୂର୍ବ ବେଙ୍ଗଲଠାରୁ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ ପହଚାଂଇପାରିଥିଲେ । ଚନ୍ଦ୍ରଗୁପ୍ତଙ୍କ ବୀରତ୍ୱର ପରିଚୟ ତାଙ୍କ ସୈନ୍ୟବାହିନୀରୁ ହିଁ ମିଳିଥାଏ । ସେତେବେଳେ ତାଙ୍କ ପାଖରେ ୬ ଲକ୍ଷ ସୈନ୍ୟ, ୮୦ ହଜାର ଅଶ୍ୱାରୋହୀ ଏବଂ ୯ ହଜାର ହାତୀ ଥିଲେ । ନିଜ ସାମ୍ରାଜ୍ୟକୁ ସୁରକ୍ଷିତ ରଖିବାକୁ ସେ ପଡୋଶୀ ରାଜ୍ୟମାନଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରକ୍ଷା କରୁଥିଲେ ।

ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟରେ ଧର୍ମର ଶାସନ ଚାଲୁଥିଲା । ଚାଣକ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ର ଅନୁସାରେ ଚନ୍ଦ୍ରଗୁପ୍ତ ଶାସନ ଭାର ସମ୍ଭାଳୁଥିଲେ । ଖୋଦ୍ ଚନ୍ଦ୍ରଗୁପ୍ତଙ୍କ ରାଜସଭାରେ ପ୍ରଧାନମନ୍ତ୍ରୀ ରହିଥିଲେ ଚାଣକ୍ୟ । ଆଉ ତାଙ୍କ ଲିଖିତ ଅର୍ଥଶାସ୍ତ୍ର ଅନୁସାରେ ବିଭିନ୍ନ ବିଭାଗ ପାଇଁ ଭିନ୍ନ ଭିନ୍ନ ମନ୍ତ୍ରୀ ଓ ସଚିବ ନିଯୁକ୍ତ ହୋଇଥିଲେ । ରାଜା ପ୍ରଜାମାନଙ୍କଠାରୁ ବିଭିନ୍ନ ଆକାରରେ କର ଆଦାୟ କରି ନିଜର ପ୍ରଜାଙ୍କୁ ଶାସନ କରିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଉଥିଲେ ଚନ୍ଦ୍ରଗୁପ୍ତ । ନିଜର ରାଜଧର୍ମ ପାଳନ କରିବା ପରେ ଚନ୍ଦ୍ରଗୁପ୍ତ ରାଜପଦକୁ ଛାଡି ଦେଇଥିଲେ । ଆଉ ଜୈନ ଧର୍ମକୁ ଆପଣାଇ ନେଇଥିଲେ । ନିଜ ରାଜଗାଦିକୁ ସେ ନିଜ ପୁଅ ବିନ୍ଦୁସାରକୁ ଦେଇ ଦକ୍ଷିଣ ଭାରତର ଶ୍ରବଣ ବେଲାଗୋଲା ଚାଲିଯାଇଥିଲେ । ସେଠାରେ ଚନ୍ଦ୍ରଗିରି ପାହାଡରେ ଧ୍ୟାନ ଓ ଉପବାସ କରିବା ସହିତ ଚନ୍ଦ୍ରଗୁପ୍ତ ନିଜ ଦେହତ୍ୟାଗ କରିଦେଇଥିଲେ । ଆଉ ଏଥିସହ ଭାରତର ପ୍ରଥମ ଚକ୍ରବର୍ତ୍ତୀ ଶାସକଙ୍କ ଜୀବନ ଶାନ୍ତ ହୋଇଯାଇଥିଲା ।