ଦଦରା ପଲିଥିନ ତଳେ ଜୀବନ । କୁଡିଆ ଭିତରେ ୫ ପ୍ରାଣୀ କୁଟୁମ୍ବଙ୍କ ବିତୁଛି ଦିନ । ପ୍ରଶାସନର ଅଣଦେଖା ପାଇଁ ହସ୍ତସନ୍ତ ହେଉଛି ପରିବାର ।

321

କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଏହି ଯୋଜନାରୁ ବଂଚିତ ହେଉଛନ୍ତି ଲୋକ । ଲୋକ ପ୍ରତିନିଧି ଜିଲ୍ଲା ପ୍ରଶାସନଙ୍କ ବୈମାତୃକ ମନୋଭାବ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ । ଧାମନଗର ଦୋବଲ ଗାଁରେ ଏପରି ଦୀର୍ଘ ୩ବର୍ଷ ହେବ ପଲିଥିନ ଜରି ତଳେ ଚଳୁଛନ୍ତି ଗୋଟିଏ ପରିବାର । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ମିଳିପାରିନି ଇନ୍ଦିରା ଆବାସ ।

ଦଦରା ପଲିଥିନ ତଳେ ଜୀବନ । ବର୍ଷକ ୧୨ ମାସ ମୁଣ୍ଡ ଉପରେ ପଲିଥିନ ସାହା । ପଲିଥିନ୍ କୁଡିଆ ଭିତରେ ୫ ପ୍ରାଣୀ କୁଟୁମ୍ବ । ରାସ୍ତା କଡ଼ରେ ପଲିଥିନ ଓ ସନ୍ତସନ୍ତିଆ ସ୍ଥାନରେ କୁଡିଆ କରି ରହୁଛନ୍ତି ଭଦ୍ରକ ଧାମନଗର ବ୍ଲକ ଦୋବଲ ଗାଁର ମୋନାଲିସା ବାରିକଙ୍କ ପରିବାର । ପରିବାର କହିଲେ ୩ ଛୁଆ, ଶାଶୁ ଏବଂ ସ୍ୱାମୀ । ପରିବାର ମୁହଁରେ ଆହାର ଦେବା ପାଇଁ ଭଦ୍ରକରେ ମୁଲ ଲାଗୁଛନ୍ତି ସ୍ୱାମୀ କାଳନ୍ଦୀ । ମାସକୁ ୩ହଜାର ଟଙ୍କା ପଠାନ୍ତି, ଆଉ ସେହି ଟଙ୍କାରେ ପରିବାର ଚଳେ ।

ନିଜର ଜାଗା ଖଣ୍ଡିଏ ନାହିଁ । ତେଣୁ ସରକାରୀ ଜାଗାରେ ଥିବା ଏହି କୁଡିଆ ଭିତରେ ଏମିତି କଟୁଛି ଦିନ । ଇନ୍ଦିରା ଆବାସ ଯୋଜନାରେ ଘରଟିଏ ପାଇଁ ପ୍ରଶାସନକୁ ଗୁହାରୀ କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ମୋନାଲିସାଙ୍କ ଦୁଃଖ ଶୁଣିବା ପରେ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଧାମନଗର ବିଡ଼ିଓ । ୩ ବର୍ଷ ହେବ ଖରା ବର୍ଷାରୁ ମୋନାଲିସାଙ୍କ ୫ ପ୍ରାଣୀ କୁଟୁମ୍ବକୁ ସାହାରା ହୋଇଛି ଏହି ପଲିଥିନ ଟଣା କୁଡିଆ ।