ବୟସର ଅପରାହ୍ନରେ ଗୁଜୁରାଣ ମେଣ୍ଟାଇବାକୁ ସରକାର ଆଣିଲେ ନୂଆ ଯୋଜନା । ମାତ୍ର ୪୨ ଟଙ୍କା ଜମା କରି ବୃଦ୍ଧାବସ୍ଥାରେ ପାଆନ୍ତୁ ସୁରକ୍ଷିତ ପେନସନ ।

2,819

କନକ ବ୍ୟୁରୋ : କେମିତି ଜୀବନ ରହିବ ସୁରକ୍ଷିତ । ଏନେଇ ଦେଶର ପ୍ରତିଟି ନାଗରିକଙ୍କ ଚିନ୍ତା । ପ୍ରଥମ ତ ବୟସ ଅଛି , ଦେହରେ ଶକ୍ତି ଅଛି ଏ ସମୟରେ ଆପଣ କେମିତି କଣ କରି ନିଜ ଗୁଜୁରାଣ ମେଣ୍ଟା ଦେବେ । ହେଲେ ଥରେ ଚିନ୍ତା କରନ୍ତୁ ତ ଯେତେବେଳେ ଆପଣ ବୟସର ଅପରାହ୍ନରେ ପହଂଚିଯିବେ । ଯେତେବେଳେ ଆପଣଙ୍କ ଶରୀର ଶ୍ରମ କରିବାର ଶକ୍ତି ହରାଇବ , ସେତେବେଳେ ଆପଣ କ’ଣ କରିବେ । କେମିତି ନିଜର ଦୈନିକ ଆବଶ୍ୟକତା ମେଣ୍ଟାଇବେ ? । ଗୋଟିଏ ପଟେ ଯେଉଁମାନେ ୨୦୦୫ ପୂର୍ବରୁ ସରକାରୀ ଚାକିରୀ କରିଛନ୍ତି ସେମାନଙ୍କୁ ତ ସରକର ପେନସନ ଯୋଗାଇ ଦେବେ । ହେଲେ ଯେଉଁମାନଙ୍କ ପାଖରେ ଚାକିରୀ ନାହିଁ ସେମାନେ କେମିତି ବୟସର ଅପରାହ୍ନରେ ବଞ୍ଚିବେ । ଏନେଇ କେନ୍ଦ୍ରସରକାର ଏକ ସ୍ୱତନ୍ତ୍ର ପେନସନ ଯୋଜନା ଆଣିଛନ୍ତି । ଯାହାକୁ ସରକାର ଅଟଳ ପେନସନ ନାମରେ ନାମିତ କରିଛନ୍ତି । ଏହି ଯୋଜନାରେ ବର୍ତମାନ ପର୍ଯ୍ୟନ୍ତ ୨.୫୦ କୋଟି ଲୋକ ସାମିଲ ହୋଇ ସାରିଛନ୍ତି । ପିଏଫଆରଡିଏ ବା ପେନସନ୍ କୋଷ ନିୟାମକ ଏବଂ ବିକାଶ ପ୍ରାଧିକରଣ ଏନେଇ ସୂଚନା ଦେଇଛନ୍ତି । ପିଏଫଆରଡିଏର ସୂଚନା ମୁତାବକ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଅକ୍ଟୋବର ୨୦୨୦ ସୁଦ୍ଧା ୩୪.୫୧ ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ୨୦୧୯ ବର୍ଷ ଶେଷ ସୁଦ୍ଧା ୧.୮୨ କୋଟି ଥିଲା ।
ଅଟଳ ପେନସନ୍ ଯୋଜନାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ବୃଦ୍ଧାବସ୍ଥାରେ ଆୟ ସୁରକ୍ଷାକୁ ସୁନିଶ୍ଚିତ କରିବା । ଏହି ଯୋଜନାରରେ ହିତାଧିକାରୀଙ୍କ ୬୦ ବର୍ଷ ହେବା ପରେ ଏକ ନ୍ୟୁନତମ ପେନସନ୍ ର ଗ୍ୟାରେଣ୍ଟି ପ୍ରଦାନ କରାଯାଏ । ଏହି ଯୋଜନାରେ ସାମିଲ ହେବା ପାଇଁ ଜଣେ ବ୍ୟକ୍ତିକୁ ସର୍ବନିମ୍ନ ୧୮ ଓ ସର୍ବାଧିକ ୪୦ ବର୍ଷ ହୋଇଥିବା ଦରକାର ।

ଆପଣ ଚାହିଁଲେ ମାସକୁ ମାତ୍ର ୪୨ ଟଙ୍କା ଜମାକରି ଏହି ଯୋଜନାରେ ସାମିଲ ହୋଇପାରିବେ । ଯଦି ଆପଣ ମାସକୁ ୪୨ ଟଙ୍କା ଲେଖାଏଁ ଜମା କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତିମାସରେ ସର୍ବନିମ୍ନ ୧ ହଜାର ଟଙ୍କାର ପେନସନ୍ ମିଳିବ । ଏହି କ୍ରମରେ ଯଦି ଆପଣ ମାସକୁ ୨୧୦ ଟଙ୍କା ଜମା କରୁଛନ୍ତି ତେବେ ୬୦ ବର୍ଷ ପରେ ଆପଣଙ୍କୁ ପ୍ରତିମାସ ପେନସନ୍ ଆକାରରେ ୫ ହଜାର ଟଙ୍କା ପ୍ରଦାନ କରିବେ ସରକାର ।

ଏହି ଯୋଜନାରେ ସାମିଲ ହେବାକୁ ହେଲେ ଆବେଦନକାରୀଙ୍କ ଯେ କୌଣସି ଜାତୀୟକରଣ ବ୍ୟାଙ୍କରେ ଆକାଉଣ୍ଟ ଥିବା ନି÷ହାତି ଦରକାର । ଏହି ଯୋଜନାର ଆଉ ଏକ ଲାଭ ହେଉଛି ଯଦି ବୀମା ଧାରକଙ୍କ ଅକାଳ ମୃତ୍ୟୁ ହୋଇଯାଏ ତେବେ ପେନସନ୍ ରାଶି ତାଙ୍କ ପତ୍ନୀଙ୍କୁ ମିଳିବ । ଉଭୟଙ୍କର ମୃତ୍ୟୁ ପରେ ପେନସନ୍ କୋଷର ଜମା ରାଶି ତାଙ୍କ ପରିବାରକୁ ପ୍ରଦାନ କରାଯିବ ।