କନକ ବ୍ୟୁରୋ : ଗରିବୀ ଦେଉଛି ଗଭୀର ଯନ୍ତ୍ରଣା । ବାପା ଆରପାରିକୁ ଚାଲିଯିବା ପରେ ଗୁହାଳ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦୁଇ ଅବିବାହିତ ଭଉଣୀ । ଦିନରେ ପର ଘରେ ପାଇଟି କରି ପେଟ ପୋଷୁଥିବା ବେଳେ ରାତିରେ ମୁଣ୍ଡ ଉପରେ ଛାତଟିଏ ନାହିଁ । ତେଣୁ ଭାଗ୍ୟକୁ ଆଦରି ଗୁହାଳ ଭିତରେ ରହୁଛନ୍ତି ଦୁଇ ଭଉଣୀ ।
କେନ୍ଦୁଝର ଘସିପୁରା ବ୍ଲକ କେଶଦୁରାପାଳ ପଂଚାୟତ ୧୫ ନମ୍ବର ୱାର୍ଡରେ ରୁହନ୍ତି ଦୁଇ ଭଉଣୀ ମୂଷୀ ବେହେରା ଓ କନକ ବେହେରା । ଦୁହେଁ ଅବିବାହିତ । ୧୦ ବର୍ଷ ତଳୁ ବାପା ଚାଲିଯିବା ପରେ ପର ଘରେ ପାଇଟି କରି ପେଟ ପୋଷୁଛନ୍ତି ଏମାନେ । ଆଉ ଝାଟିମାଟିର ଗୁହାଳ ଘରେ ଗାଇ-ବାଛୁରୀଙ୍କ ସହ ଏକାଠି ଜୀବବ ବିତାଉଛନ୍ତି ।
ଗୁହାଳ ଘରେ ରହୁଥିବା ଦୁଇ ଭଉଣୀ ଆବାସ ଯୋଜନାରେ ପକା ଘର ଖଣ୍ଡିଏ ପାଇଁ ଅନେକ ଥର ନେହୁରା ହୋଇଛନ୍ତି । ମୁଣ୍ଡ ଉପରେ ଛାତ ନାହିଁ କି ଗୁହାଳ ଘରେ ବିଜୁଳି ସଂଯୋଗ ନାହିଁ । ଏଭଳି ସ୍ଥିତିରେ ଅତି ଦୟନୀୟ ଅବସ୍ଥାରେ ଏମାନେ ବଞ୍ଚୁଥିବା ବେଳେ ସରକାରୀ ବାବୁ ଏହି ଦୁଇ ଭଉଣୀଙ୍କ ପ୍ରତି ଅବିଚାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଦିନ ସାରା ମୂଲ ଲାଗିବା ପରେ ଗୁହାଳ ଘରେ ଡିବିରି ଜଳାଇ ରାତି କାଟୁଛନ୍ତି ଦୁଇ ଭଉଣୀ ମୂଷୀ ଓ କନକ । ପ୍ରଶାସନ ଏମାନଙ୍କ ସମସ୍ୟା ପ୍ରତି ନଜର ଦେଇ ଘର ଓ ବିଜୁଳି ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।