ମହାନଦୀକୁ ନେଇ ଛତିଶଗଡ଼ର ମନମାନି ପରେ ସଙ୍କଟରେ ଓଡ଼ିଶାର ବଡ଼ନଦୀ । କଲମା ବ୍ୟାରେଜରେ ସମସ୍ତ ଗେଟ୍ ବନ୍ଦ କରି ଅଟକାଇଛି ମହାନଦୀର ସ୍ରୋତ

 ଓଡ଼ିଶାର ପ୍ରବେଶ ପଥ ସୁଖାଶୋଡ଼ାରେ ସମ୍ପୂର୍ଣ୍ଣ ଶୁଖିଲା ପଡିଛି ନଦୀଶଯ୍ୟା । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ ।

113

କନକ ବ୍ୟୁରୋ : ଛତିଶଗଡରେ ଉଛୁଳୁଛି ମହାନଦୀ । ହେଲେ ଓଡିଶାରେ ଶୁଖିଲା ପଡିଛି । ଓଡ଼ିଶାକୁ ମହାନଦୀ ଯେଉଁଠି ପ୍ରବେଶ କରୁଛି, ସେହି ଶୁଖାସୋଡ଼ାର ଦୃଶ୍ୟ ସାମ୍ନାକୁ ଆସିଛି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା ହୋଇଥିବା ବେଳେ ଏଭଳି ଦୃଶ୍ୟ ସାମନାକୁ ଆସିଥିଲା । କ୍ୟାମେରା ଲେନ୍ସରେ ଦୂର ଦୂର ପର୍ଯ୍ୟନ୍ତ ପାଣି ଦେଖା ଯାଉନଥିଲା । ଏହାପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି କନକ ନ୍ୟୁଜ । ମହାନଦୀ ହେଉଛି ଓଡ଼ିଶାର ଲାଇଫ୍ ଲାଇନ । ଅଧା ଓଡ଼ିଶାର ଲୋକ ମହାନଦୀ ଉପରେ ନିର୍ଭର କରନ୍ତି ।

ଛତିଶଗଡ଼ରୁ ଓଡ଼ିଶା ଦେଇ ଯାଉଥିବା ମହାନଦୀର ଏଭଳି ଅବସ୍ଥା ହୋଇଥିବ, କେହି କେବେ କଳ୍ପନା କରିନଥିବେ । ଆଉ ଏହାର କାରଣ କଣ, ଏହା ମଧ୍ୟ ସମସ୍ତେ ଜାଣନ୍ତିି । ଛତିଶଗଡ଼ରେ ମହାନଦୀ ଉପରେ ମାଳ ମାଳ ବ୍ୟାରେଜ୍ ଓ ବନ୍ଧ ତିଆରି କରି ଏଭଳି ଏକ ଅବସ୍ଥା ସୃଷ୍ଟି କରାଯାଇଛି, ଯାହାକୁ ବର୍ଣ୍ଣନା କରିବା କଷ୍ଟକର । ଜଳପୁରୁଷ ରାଜେନ୍ଦ୍ର ସିଂ ଓ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଥିବା ବେଳେ ଏଭଳି ଚିତ୍ର ସାମନାକୁ ଆସିଥିଲା ।

କଲମା ବ୍ୟାରେଜରେ ଛିଡ଼ା ହୋଇ ଜଳପୁରୁଷ ରାଜେନ୍ଦ୍ର ସିଂହ ଛତିଶଗଡ଼ର ମହାନଦୀ ଓ ଓଡ଼ିଶାର ମହାନଦୀକୁ ଦେଖାଇଥିଲେ । ମହାନଦୀରେ ସୃଷ୍ଟି ହୋଇଥିବା ସଙ୍କଟର ସମାଧାନ ପାଇଁ ତୁରନ୍ତ ଚିନ୍ତା କରିବାର ବେଳ ଆସିଛି । ମହାନଦୀ ବଞ୍ଚାଅ ଆନ୍ଦୋଳନ ଯେଉଁ ଚିତ୍ର ସାମନାକୁ ଆଣିଛି, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ସମସ୍ତେ ଜାଣି ରଖିବା ଉଚିତ, ନଦୀ ହେଉଛି ପ୍ରକୃତିର ଦାନ । ତା’ଉପରେ ଛତିଶଗଡ଼ର ଏକଚାଟିଆ ଅଧିକାର କେବେ ବି ଗ୍ରହଣୀୟ ନୁହେଁ । ଆଉ ଯଦି ଓଡ଼ିଶା ଚୁପ ବସିବ, ତେବେ ଏହାକୁ ଓଡ଼ିଶାବାସୀଙ୍କ ପ୍ରତି ପ୍ରତାରଣା ହିଁ କୁହାଯିବ ।