ରାସ୍ତା କଡ଼ରେ କଟୁଛି ଜୀବନ, ହେଲେ ତାଲିକାରେ ନାହିଁ ନାଁ । ଆବାସ ତାଲିକାରୁ ବାଦ ପଡ଼ିଛନ୍ତି ଯୋଗ୍ୟ ହିତାଧିକାରୀ

115

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତେଜୁଛି ଅସନ୍ତୋଷ । ପ୍ରକାଶ ପାଇଥିବା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ସାମିଲ ହୋଇନାହାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅସନ୍ତୋଷର ଚିତ୍ର ।

ରାଜ୍ୟର ୩ଟି ଅଞ୍ଚଳ ବାଙ୍କୀ ଓ ପାରାଦୀପ ଓ ପୋଲସରାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ତାଲିକା ବାହାରିଛି, କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ପାରାଦୀପ ଗଡ ବଜାରର ରାସ୍ତା କଡରେ ଦୀର୍ଘ ୪୦ ବର୍ଷ ହେବ ୩ ପ୍ରାଣୀଙ୍କ ଜୀବନ ସେଇଠି ଅଟକିଯାଇଛି । ନିର୍ଦ୍ଦମା କଡରେ ପୋଲ ତଳେ ବିତୁଛି ରୋଗୀଣା ମା, ଝିଅ ଓ ନାତୁଣୀଙ୍କ ଜୀବନ । ଜାଗାଖଣ୍ଡେ ନ ମିଳିବାରୁ ୫ ହାତର ପଲିଥିନ ତଳେ ବିତୁଛି ଜୀବନ । ବ୍ଲକ ଓ ପଞ୍ଚାୟତ ଅଫିସ ଦୌଡିବାକୁ ଏମାନଙ୍କ ଗୋଡରେ ବଳନାହିଁ । ସେହିଭଳି ବାଙ୍କୀର ରତାଗଡ ପଞ୍ଚାୟତରେ ବି ଠିକ ଏକା ଅବସ୍ଥା । ନୂଆଗାଁରେ ୪୦ ବର୍ଷ ଧରି ଜରିପାଲ ତଳେ ରହୁଥିବା ରମାସାହୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଦୁଇ ଦୁଇଥର ନାଁ ଆସିଥିଲେ ବି ଆବାସ ତାଲିକାରୁ ନାଁ କାଟିଦିଆଯାଇଛି ।

ଗଞାମ ପୋଲସରାର ଜାଗିଲିଡେଙ୍ଗାପଦର ଗ୍ରାମପଞ୍ଚାୟତ ମର୍ଦ୍ଦାରାଜପୁର ଗାଁରେ ଆବାସ ତାଲିକାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୨୦ରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ନାଁ ବାଦ ପଡିଛି । ଘର ନଥିବାରୁ ଦୁର୍ଦ୍ଦିନରେ ଏମାନେ ଦିନ କାଟୁଛନ୍ତି । ତାସତ୍ୱେ ସେମାନଙ୍କ ନାଁ ତାଲିକାରେ ନାହିଁ । ନବରଙ୍ଗପୁର ବଡକୁମାରୀ ପଞ୍ଚାୟତରେ ବି ଏକା ଅବସ୍ଥା । ଅନେକ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି । ଅନେକ ଅଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି ।

ବର୍ତମାନ ଆଗକୁ ତାଲିକା ନେଇ ଗ୍ରାମସଭା ବସିବ । ତେଣୁ ଚୂଡାନ୍ତ ତାଲିକାରେ ଏମାନଙ୍କ ନାଁ ରହିବ ନା ନାହିଁ ସେ ନେଇ ଆଶାୟୀ ଲୋକଙ୍କ ଉକ୍ରଣ୍ଠା ବଢୁଛି ।