କନକ ବ୍ୟୁରୋ: ଡିନାମାଇଟ ଫୁଟାଇ ମାଛ ଧରିବା ହେଲା କାଳ । କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଭୁଲକାବାହାଳ ଗ୍ରାମ ଚୁଆହୁଳିଠାରେ ରେଙ୍ଗାଳି ନଦୀବନ୍ଧରେ ଡିନାମାଇଟ ଫୁଟାଇ ମାଛ ଧରୁଥିବା ବେଳେ ବିସ୍ଫୋରଣରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଦେବଗଡ଼ ଥାନା ଅସନନାଳୀ ଗ୍ରାମର ଶିବ ଧୀବରଙ୍କ ପୁଅ କ୍ଷମାନିଧି ଧୀବର । ଘଟଣା ସ୍ଥଳରେ ଦେବଗଡ଼ ଦମକଳ ବାହିନୀ ପହଞ୍ଚି ଜଳ ଭଣ୍ଡାରରୁ ମୃତଦେହ ଉଦ୍ଧାର କରିଛି ।

Advertisment

ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଭାଲୁମୁଣ୍ଡା ଗ୍ରାମର ଦୁଇଜଣ ଯୁବକ ଅସନନାଳୀ ଗ୍ରାମର କ୍ଷମା ଧୀବରଙ୍କୁ ସାଙ୍ଗରେ ନେଇ ଭୁଲକାବାହାଳ ଗ୍ରାମ ନିକଟରେ ଥିବା ଚୁଆହୁଳି ନିକଟସ୍ଥ ରେଙ୍ଗାଳି ନଦୀବନ୍ଧକୁ ଡିନାମାଇଟ ନେଇ ମାଛ ଧରିବାକୁ ଯାଇଥିଲେ । ତେବେ ଏହି ଡିନାମାଇଟ ବିସ୍ଫୋରଣରେ ଖୋଦ କ୍ଷମା ଧୀବରର ପାଣି ମଧ୍ୟରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଏହା ଦେଖି ସାଥିରେ ଯାଇଥିବା ଅନ୍ୟ ଦୁଇଜଣ ଯୁବକ ଗାଁକୁ ଆସି ସୂଚନା ଦେଇଥିଲେ । ଏଥିସହ ଦମକଳ ବାହିନୀକୁ ସୂଚନା ଦେବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜଳ ଭଣ୍ଡାର ମଧ୍ୟରୁ ମୃତଦେହ କାଢିଥିଲେ । ସେହିପରି ସୂଚନା ପାଇ ଖଇରପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବାଜଣା ପଡିଛି ।