ଜୀବନ ଦେବା ପାଇଁ ବାଜିରେ ଲାଗିଛି ଜୀବନ : ୭୪ ବର୍ଷ ପରେ ବି ଗାଁକୁ ନାହିଁ ରାସ୍ତା; ଭରାନଦୀ ପାର୍‌ ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ

129

କନକ ବ୍ୟୁରୋ : ଗାଁ ଅଛି, ହେଲେ ରାସ୍ତା ନାହିଁ । ବାଟ ଓଗାଳିଛି ନଦୀ । ପୋଲ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରି ନିରାଶ ହୋଇଛନ୍ତି । ଏଭଳି ପରିସ୍ଥିତିରେ ପ୍ରସବ ବେଦନା ପାଉଥିବା ଜଣେ ମହିଳା ଆଜି ନିଜ ଜୀବନକୁ ବାଜି ଲଗାଇ ଚାଲି ଚାଲି ଭରାନଈ ପାର୍‌ ହୋଇ ଡାକ୍ତରଖାନା ଯାଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ର ଏହି ଅଭିଶପ୍ତ ଗାଁ ହେଉଛି ‘ବାଲମା’ । ଗାଁକୁ ଯିବା ପାଇଁ ହେଲେ ସଞ୍ଜନଦୀ ପାର୍‌ ହେବାକୁ ପଡ଼େ । ଜରୁରୀକାଳୀନ ସେବା ଏଠାରେ ଅପହଞ୍ଚ । ଗାଁ ଲୋକେ ଏ ସମସ୍ୟା ବାବଦରେ ବାରମ୍ବାର ପ୍ରଶାସନ ତଥା ଜନପ୍ରତିନିଧିଙ୍କ ନିକଟରେ ଜଣାଇବା ସହ ପୋଲ ନିର୍ମାଣ ପାଇଁ ଅନେକ ଥର ଗୁହାରି କରିଛନ୍ତି । ହେଲେ କେହି କିଛି ଶୁଣିନାହାନ୍ତି । ଏମିତିକି ଗତ ନିର୍ବାଚନ ସମୟରେ ଭୋଟ୍‌ ଦେବେନାହିଁ ବୋଲି ଗାଁ ଲୋକେ ଚେତାବନୀ ମଧ୍ୟ ଦେଇଥିଲେ । ଯଦିଓ ସେ ସମୟରେ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ ପରେ ଶୂନ୍ୟରେ ମିଳେଇଗଲା । ଏପରି ସମୟରେ ଆଜି ଏକ ମର୍ମସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି ।

ଗାଁର ସୁକାନ୍ତି ହେମ୍ବ୍ରମ ଗର୍ଭବତୀ ଅଛନ୍ତି । ପ୍ରସବ ବେଦନା ଅନୁଭବ କରିବା ପରେ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଜନନୀ ଏକ୍ସପ୍ରେସ୍‌କୁ ଫୋନ୍‌ କରିଥିଲେ। ଖବର ପାଇ ଜନନୀ ଏକ୍ସପ୍ରେସ୍‌ ଆସିଥିଲା। ହେଲେ ଗାଁକୁ ରାସ୍ତା ନ ଥିବାରୁ ନଦୀ ଆରପାଖରେ ଛିଡ଼ା ହୋଇ ରହିଥିଲା। ପରିବାର ଲୋକ ସୁକାନ୍ତିଙ୍କୁ ସାଇକେଲ୍‌ରେ ୨ କିଲୋମିଟର ଦୂର ନଦୀ ପାଖକୁ ଆଣିଥିଲେ। ପରିବାର ଲୋକଙ୍କ ସହାୟତାରେ ସୁକାନ୍ତି ଉଛୁଳା ପାଣି ଭିତରେ ପଶି ବିପଦସଂକୁଳ ଅବସ୍ଥାରେ ନଦୀ ପାର ହୋଇଥିଲେ। ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ବର୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ସୂଚନାନୁସାରେ, ଚଳିତ ମାସ ୩ ତାରିଖରେ ମଧ୍ୟ ଗାଁରେ ସମାନ ସ୍ଥିତି ଉପୁଜିଥିଲା। ଗାଁର ଜଣେ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଯିବା ପାଇଁ ଭରାନଦୀ ପାର୍‌ ହେବାକୁ ପଡ଼ିଥିଲା।