ଆସନ୍ତା ବର୍ଷରୁ ୪୦ ପ୍ରତିଶତ ମହଙ୍ଗା ହୋଇପାରେ ଜୀବନ ବୀମା ପ୍ରିମିୟମ୍ । ଜାଣନ୍ତୁ, ଏହା ପଛର କାରଣ କଣ…

499

କନକ ବ୍ୟୁରୋ: ଆସନ୍ତା ବର୍ଷରୁ ୨୦ରୁ ୪୦ ପ୍ରତିଶତ ମହଙ୍ଗା ହୋଇପାରେ ଜୀବନ ବୀମା ପ୍ରିମିୟମ୍ । କ୍ଲେମ୍ ସେଟଲମେଣ୍ଟ ଦାବି ସଂଖ୍ୟା ବଢ଼ୁଥିବାରୁ ପୂର୍ବ ଅପେକ୍ଷା ଅଧିକ ବୀମା ରାଶି ଗଣୁଛନ୍ତି କମ୍ପାନୀ । ତେଣୁ ନିଜର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ଲାଗି କମ୍ପାନୀ ଗୁଡିକ ପ୍ରିମିୟମ ଆୟ ବଢାଇବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ପ୍ରିମିୟମରେ ବୃଦ୍ଧି କରିବା ବିଷୟରେ ବିଚାର କରୁଛନ୍ତି । ଏଥିପାଇଁ କିଛି ବୀମା କମ୍ପାନୀ ଏହି କ୍ଷେତ୍ରରେ ନିୟାମକ ସଂସ୍ଥା, ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ ବା ଆଇଆରଡିଏଆଇ ନିକଟରେ ମଧ୍ୟ ଆବେଦନ କରିଛନ୍ତି । ପ୍ରିମିୟମ ବୃଦ୍ଧି ନେଇ ଚୂଡ଼ାନ୍ତ ନିଷ୍ପତି କରିବ ଆଇଆରଡିଏଆଇ ।

ବୀମା ପ୍ରିମିୟମରେ ହେବାକୁ ଥିବା ବୃଦ୍ଧି ପଛର ଅନ୍ୟ ଏକ କାରଣ ହେଉଛି ବିଶ୍ୱସ୍ତରୀୟ ରିଇନ୍ସୁରାନ୍ସ କମ୍ପାନୀ ଗୁଡିକ ଭାରତୀୟ ବୀମା କମ୍ପାନୀଠାରୁ ସଂଗ୍ରହ କରୁଥିବା ଫି’ରେ ବୃଦ୍ଧି । ଏହି ଫି’ ବୃଦ୍ଧି ହେଲେ ପ୍ରିମିୟମ ବଢାଇବା ବ୍ୟତୀତ କମ୍ପାନୀ ଗୁଡିକ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ । ଯଦି ପ୍ରିମିୟମ ବଢିବ ତେବେ ଅନଲାଇନ ଓ ଅଫଲାଇନରେ ପଲିସି କିଣୁଥିବା ଗ୍ରାହକମାନେ ପ୍ରଭାବିତ ହେବେ । ଯଦି ବୀମା ବଢିବ ତେବେ କେବଳ ବ୍ୟକ୍ତିଗତ ବୀମା ନୁହେଁ କର୍ପୋରେଟ ସଂସ୍ଥା ଗୁଡିକ କିଣୁଥିବା ଗ୍ରୁପ ଇନ୍ସୁରାନ୍ସ ମଧ୍ୟ ପ୍ରଭାବିତ ହେବ । କୋଭିଡ ମହାମାରୀ ପ୍ରଭାବରେ ଗ୍ରୁପ କର୍ପୋରେଟ ପଲିସି ଗୁଡିକରେ ବୀମା ଦାବିରେ ୩ଶହରୁ ହଜାରେ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହାର ପ୍ରଭାବରେ କର୍ପୋରେଟ ବୀମା ପଲିସି ପ୍ରିମିୟମରେ ୫୦ରୁ ଶହେ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି ।