ଚାରି କାନ୍ଥ ଭିତରେ ବନ୍ଧା ପଡିଛି ଜୀବନ…ଅସହ୍ୟ ହେଲାଣି ଯନ୍ତ୍ରଣା । ଅଭାବ ଅନଟନ ସାଙ୍ଗକୁ ରୋଗ ସାଜିଛି ଦାଉ…ଶଯ୍ୟାରେ ପଡି ଛଳଛଳ ଆଖିରେ ବଂଚିବାର ରାହା ଖୋଜୁଛନ୍ତି ବଳରାମ

417

କନକ ବ୍ୟୁରୋ: ଚାରି କାନ୍ଥ ଭିତରେ ବନ୍ଧା ପଡିଛି ଜୀବନ । ଅସହ୍ୟ ହେଲାଣି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଅଭାବ ଅନଟନ ସାଙ୍ଗକୁ ରୋଗ ସାଜିଛି ଦାଉ ଆଉ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁରର ବଳରାମ । ରୋଗ ଶଯ୍ୟାରେ ପଡି ଛଳଛଳ ଆଖିରେ ବଂଚିବାର ରାହା ଖୋଜୁଛନ୍ତି ବଳରାମ । ସେପଟେ ବଳରାମଙ୍କ ଏପରି ଅବସ୍ଥା ଦେଖି ଭାଙ୍ଗି ପଡିଛି ପୁରା ପରିବାର । ସ୍ତ୍ରୀ ଓ ଝିଅଙ୍କ ଆଖିରୁ ସୁଖୁନି ଲୁହ । ପ୍ରଶାସନ ନିକଟରେ ସାହାର୍ଯ୍ୟର ନିବେଦନ କରିଛନ୍ତି ବଳରାମ ଓ ତାଙ୍କ ପରିବର ।

ଦଇବ ସାଜିଛି ଦାଉ । ଜୀବନ ପାଲଟିଛି ଜନ୍ତ୍ରଣା । ରୋଗ ଯନ୍ତ୍ରଣାରେ ଛଟପଟ ଛଳଛଳ ଆଖିରେ ବିଛଣାରେ ପଡି ଚାହିଁ ରହିଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅର୍ନ୍ତଗତ କଡମିଆଁ ଗାଁର ୫୦ ବର୍ଷୀୟ ବଳରାମ ନାୟକ । ମେରୁଦଣ୍ଡ ଜନିତ ରୋଗ ଅଚଳ କରିଦେଇଛି ତାଙ୍କୁ । ବିଛଣାରୁ ଉଠିବାକୁ ଯୁ ପାଉନି । ବିଛଣାରେ ପଡିପଡି ଦେହରେ ଘା ହେଲାଣି । ପରାମର୍ଶ ପରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର କହିଥିଲେ । ହେଲେ ହାତରେ ଟଙ୍କା ନଥିବାରୁ ଅସ୍ତ୍ରୋପଚାର ହୋଇପାରିଲା ନାହିଁ । ତେଣୁ ୭ ବର୍ଷ ହେଲା ରୋଗ ଶଯ୍ୟାରେ ପଡି ବଂଚିବାର ରାହା ଖୋଜୁଛନ୍ତି ବଳରାମ । ଏଣେ ପରିବାରରେ ଅନ୍ୟ କେହି ରୋଜଗାରକ୍ଷମ ନଥିବାରୁ ଭୋକିଲା ପେଟରେ ରୋଗର ଯନ୍ତ୍ରଣା ସତେ ଯେମିତି ଦୁଃଖ ରୂପି ପାହାଡକୁ ଦ୍ୱିଗୁଣିତ କରିଦେଇଛି । ଆଉ ଏଭଳି ପରିସ୍ଥିତିରେ ଜୀବନ ମରଣର ଦୋଛକିରେ ଛଟପଟ ହେଉଛନ୍ତି ବଳରାମ । ଆଉ ବଳରାମଙ୍କ ଏପରି ଅବସ୍ଥା ଦେଖି ଭାଙ୍ଗି ପଡିଛି ତାଙ୍କର ପୁରା ପରିବାର । ସ୍ତ୍ରୀ ଓ ଝିଅଙ୍କ ଆଖିରୁ ସୁଖୁନି ଲୁହ । ପ୍ରଶାସନ ନିକଟରେ ସାହାର୍ଯ୍ୟର ଆକୁଳ ନିବେଦନ କରିଛନ୍ତି ବଳରାମ ଓ ତାଙ୍କ ସ୍ତ୍ରୀ ।

ଦିନଥିଲା ହସଖୁସିରେ ଉଛୁଳି ପଡୁଥିଲା ବଳରାମଙ୍କ ସଂସାର । ସ୍ତ୍ରୀ ଓ ୫ ଝିଅଙ୍କୁ ନେଇ ତାଙ୍କ ପରିବାର । ଚାଷ କରି ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳିଯାଏ । ହେଲେ ହଠାତ ତାଙ୍କ ଜୀବନରେ ମାଡି ଆସିଲା ଦୁଃଖ । ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଗଲେ । ରୋଜଗାର ବନ୍ଦ ହୋଇଯିବାରୁ ପରିବାର ଚଳିବା କଷ୍ଟ ହୋଇଗଲା । ଓଳିଏ ଖାଇଲେ ଓଳିଏ ଉପାସ । ୩ ଝିଅଙ୍କ ପାଠପଢା ମଧ୍ୟ ବନ୍ଦ ହୋଇଗଲା । ଏତିକିରେ ଅଟକି ରହିନି ପରିବାରର ଦୁଃଖ । ବର୍ତ୍ତମାନ ପରିବାରର ରୋଜଗାର କହିଲେ ସରକାର ୭ ଜଣଙ୍କ ପାଇଁ ଯୋଗାଇ ଦେଉଥିବା ରାସନ ଓ ବଳରାମଙ୍କ ପାଇଁ ୭୦୦ ଟଙ୍କା ଭତା । ଏମିତି ଚାଲିଛି ବଳରାମଙ୍କ ଦୁଃଖର ସଂସାର । ଏତେ ବଡ ଦୁନିଆରେ ବଳରାମଙ୍କ ଦୁଃଖ ଦେଖିବାକୁ ସତେଯେମିତି କେହି ନାହାନ୍ତି । ବଳରାମଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସହାୟତା ମିଳିନାହିଁ । ତେଣୁ ତୁରନ୍ତ ବଳରାମଙ୍କ ଚିକିତ୍ସା ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ସମାଜସେବୀ ଦାବୀ କରିଛନ୍ତି । ସେପଟେ ଏନେଇ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

୫ଟି ର ସରକାର ସାରା ରାଜ୍ୟରେ ରୋଗୀ ମାନଙ୍କ ମାଗଣାରେ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବଳରାମଙ୍କ ଚିକିତ୍ସା ପାଇଁ ମଧ୍ୟ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।