ପାହାଡ଼ ଉପରେ ପରିବାର…ପଥର ତଳେ ଜୀବନ: ଅସହ୍ୟ ହେଲା ପଡୋଶୀଙ୍କ ନିର୍ଯାତନା; ଘର ଛାଡି ଜଙ୍ଗଲରେ ରହୁଛନ୍ତି ଅସହାୟ ପରିବାର

231

କନକ ବ୍ୟୁରୋ: ଅସହ୍ୟ ହେଲା ପଡୋଶୀଙ୍କ ବ୍ୟବହାର ଓ ନିର୍ଯାତନା । ପ୍ରତି ମୂହୁର୍ତରେ ନିର୍ଯାତିତ ହେବାକୁ ପଡିଲା । ଘର ଛାଡି ଜଙ୍ଗଲ ଭିତରକୁ ଚାଲି ଯିବାକୁ ବାଧ୍ୟ କଲା ପରିସ୍ଥିତି । ଶେଷରେ ଗାଁ ଛାଡି ୪ କିଲୋମିଟର ପାହାଡ ଉପରେ ଥିବା ଖୋଲରେ ରହୁଥିଲେ ଗୋଟିଏ ପରିବାର । ମୟୂରଭଂଜ ମଙ୍କଡଗୋଡା ଗାଁରୁ ଆସିଛି ଏମିତି ଏକ ଖବର ।

ଗାଁ ଛାଡ଼ିବା ପରେ ପାହାଡ଼ ଖୋଲରେ ମୁଣ୍ଡ ଗୁଂଜିଛନ୍ତି ମୟୂରଭଂଜ ରାଇରଙ୍ଗପୁର ବ୍ଲକ ମାଙ୍କଡଗୋଡ ଗାଁର ଏକ ଅସହାୟ ପରିବାର । ପଡୋଶୀଙ୍କ ନିର୍ଯାତନା ସହି ନପାରି ପୁଅ-ବୋହୂ ଓ ନାତିନାତୁଣିଙ୍କୁ ଧରି ପାହାଡ ଖୋଲରେ ଆଶ୍ରୟ ନେଇଛନ୍ତି ଶନିବାରୀ ଦେହୁରୀ । ପଥରର ଛାତକୁ ପଥର କାଂଥ । ଏଇଠି ରନ୍ଧାବଢା, ଖିଆପିଆ ସାଙ୍ଗକୁ ଶୁଆବସା । ଶନିବାରୀଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ଜମିଜମା ବିବାଦକୁ କେନ୍ଦ୍ର କରି ହଇରାଣ କଲେ ପଡୋଶୀ । ଦିନକୁ ଦିନ ନିର୍ଯାତନା ବଢିବାରୁ ପରିବାରକୁ ଧରି ଝାଡଖଣ୍ଡ ସୀମାନ୍ତରେ ପାହାଡ ଉପକୁ ଚାଲି ଯାଇଛନ୍ତି ଶନିବାରୀ ।

ଝାଡଖଣ୍ଡ ସୀମାନ୍ତ ପାହାଡ ଖୋଲରେ ଶନିବାରୀଙ୍କ ପରିବାର ରହୁଥିବା ଜାଣି ପରିବାର ପାଖରେ ପହଂଚିଥିଲେ ବିଜେଡି ମୟୂରଭଂଜ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ୍ । ଶନିବାରୀଙ୍କୁ ବୁଝାଇ ତାଙ୍କ ପରିବାରକୁ ପାହାଡ ତଳକୁ ଆଣି ମାଙ୍କଡଗୋଡ ସ୍କୁଲରେ ଆଶ୍ରୟ ହେଇଛନ୍ତ କାଶୀନାଥ । ଆଗାମୀ ଦିନରେ ଏହି ଅସହାୟ ପରିବାରକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ସେ ଅନୁରୋଧ କରିଛନ୍ତି । ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ମାଙ୍କଡଗୋଡ ସ୍କୁଲରେ ପହଂଚି ଶନିବାରୀଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି । ଏଭଳି ସ୍ଥିତିରେ ଶନିବାରୀଙ୍କ ପରିବାରକୁ ନିର୍ଯାତନା ଦେଉଥିବା ତାଙ୍କ ପଡୋଶୀ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ରାଇରଙ୍ଗପୁର ପୁଲିସ ।