ଶିକୁଳି ବାନ୍ଧିଲି ମୁଁ ସ୍ୱାମୀ ଗୋଡରେ… ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ଉଠାଇବାକୁ ପର ଘରେ ପାଇଟି କରୁଛନ୍ତି ସ୍ତ୍ରୀ । ଘରୁ ବାହାରିବା ପୂର୍ବରୁ ମାନସିକ ବିକାରଗ୍ରସ୍ତ ସ୍ୱାମୀକୁ ଲୁହା ଜଞ୍ଜୀରରେ ବାନ୍ଧୁଛି ସ୍ତ୍ରୀ ।

302

କନକ ବ୍ୟୁରୋ: ଜଞ୍ଜିରରେ ବନ୍ଧା ପଡିଛି ସ୍ୱାମୀଙ୍କ ଜୀବନ । ସିନ୍ଦୁର ପାଇଁ ସହାୟତା ମାଗୁଛନ୍ତି ସ୍ତ୍ରୀ । ମାନସିକ ବିକାରଗ୍ରସ୍ତ ସ୍ୱାମୀଙ୍କୁ ଶିକୁଳିରେ ବାନ୍ଧି ପର ଘରେ ପାଇଟି କରିବାକୁ ଯାଉଛି ସ୍ତ୍ରୀ । ପରିବାର ମୁହଁରେ ଦାନା ଓ ସ୍ୱାମୀଙ୍କ ପାଇଁ ଔଷଧ କିଣିବାକୁ ଏମିତି କରିବାକୁ ବାଧ୍ୟ ହେଉଛନ୍ତି ସ୍ତ୍ରୀ । ଉମରକୋଟ କେନାଲ ସାହିର ବ୍ରହ୍ମାନନ୍ଦ ବାଲା ୩ ବର୍ଷ ହେଲା ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଛନ୍ତି । ସେ ଅସୁସ୍ଥ ହୋଇଯିବା ପରେ ଅସହାୟ ହୋଇପଡିଛନ୍ତି ତାଙ୍କ ସ୍ତ୍ରୀ ରଂଜିତା ବାଲା ।

ବ୍ରହ୍ମାନନ୍ଦ ଟିଭି, ମୋବାଇଲ ଓ ରେଡିଓ ରିପ୍ୟାରିଂ ଦୋକାନ କରି ପରିବାର ଗୁଜୁରାଣ ମେଂଟାଉଥିଲେ । ସ୍ୱଳ୍ପ ରୋଜଗାରରେ ସ୍ତ୍ରୀ ଓ ପୁଅଙ୍କୁ ନେଇ ସୁଖ ଦୁଃଖରେ ସଂସାର ଚାଲିଥିଲା । ହେଲେ ହଠାତ୍ ଅସୁସ୍ଥ ହୋଇଗଲେ ବ୍ରହ୍ମାନନ୍ଦ । ଆଉ ବଦଳିଗଲା ସବୁ କିଛି, ସ୍ୱାମୀଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଚିକିତ୍ସା ଅଧାରେ ଛାଡି ସ୍ୱାମୀଙ୍କୁ ଲୁହା ଜଂଜିରରେ ବାନ୍ଧି ରଖିଛନ୍ତି ସ୍ତ୍ରୀ ।

ବ୍ରହ୍ମାନନ୍ଦ ଶିକୁଳିରେ ବନ୍ଧା ହୋଇଥିବା ବେଳେ ଦୁଇ ଓଳି ଦୁଇମୁଠା ଦାନା ପାଇଁ ମାଆ ପର ଘରେ ପାଇଟି କରୁଥିବା ବେଳେ ପୁଅ ଗାଡିରେ ହେଲପର କାମ କରୁଛି । ଏଭଳି ସ୍ଥିତିରେ ସରକାରୀ କି ବେସରକାରୀ ସ୍ତରରେ ସ୍ୱାମୀଙ୍କ ଚିକିତ୍ସା କରାଗଲେ ଗୋଟିଏ ପରିବାର ପୁଣି ସଜାଡି ହୋଇ ଯାଆନ୍ତା ।