ଟେବୁଲରେ ବିତୁଛି ଜୀବନ: ୨୨ ବର୍ଷ ହେଲା ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା; ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା

235

କନକ ବ୍ୟୁରୋ: ୩ ହାତର ଟେବୁଲ ସାଜିଛି ୨୨ ବର୍ଷ ଝିଅର ଘର ଠିକଣା । ବର୍ଷେ କି ୨ ବର୍ଷ ନୁହଁ ଦୀର୍ଘ ୨୨ ବର୍ଷ ହେଲା ଗୋଟିଏ ଟେବୁଲ ଉପରେ କଟୁଛି ଝିଅର ଜୀବନ । ମାଆ ଚାଲିଯିବା ପରେ ଦିବ୍ୟାଙ୍ଗ ଝିଅର ଭରସା କେବଳ ବାପା । ଏପଟେ ଝିଅର ଦାୟିତ୍ୱ, ସେପଟେ ପରିବାର ଚଳାଇବାର ବୋଝକୁ ବୋହୁଥିବା ଟି ମୋହନ ରାଓଙ୍କ ପାଇଁ ସରକାରୀ ଯୋଜନା କିନ୍ତୁ ଅପହଁଚ ।

ଅଙ୍କା ବଙ୍କା ଶରୀର । ଯେଉଁଠିକୁ ଧରିଲେ ସେହିଠି ଭାଙ୍ଗି ଯାଉଛି । ଆଉ ଆପେ ଆପେ ମଧ୍ୟ ଯୋଡ଼ି ହୋଇଯାଉଛି । ଏପରି ସ୍ଥିତିରେ ଏବେ ଜୀବନର ଭରସା ପାଲଟିଛି ଗୋଟିଏ ୩ ଫୁଟ ଲଂବର ଟେବୁଲ । ଏହି ଠାରେ ଖାଇବା , ଏହି ଠାରେ ପିଇବା, ସ୍ନାନ ଶୌଚ ସବୁ କିଛି ଏହି ଟେବୁଲ ଉପରେ । ଟେବୁଲ ଉପରେ ଶୋଇ ରହିଥିବା ଏହି ଯୁବତୀ ହେଉଛନ୍ତି ଜୟପୁର ସହରର ସତିଗୁଡ଼ା ଗାଁଆର ସ୍ୱାତୀ ରାଓ । ପିଲାଟି ଦିନରୁ ଅବସ୍ଥା ଏହି ପରି । ନା ନିଜେ ଚାଲି ପାରୁଛି, ନା ନିଜ ହାତରେ ଖାଇପାରୁଛି । ସବୁ କିଛି ପାଇଁ ପର ଉପରେ ଭରସା । ଝିଅର ଏପରି ଅବସ୍ଥା ଭିତରେ ଅନେକ ଦିନରୁ ଆରପାରିକୁ ଚାଲିଗଲାଣି ମାଆ । ଏବେ ସବୁ ଦାୟୀତ୍ୱ ତୁଲାଉଛନ୍ତି ବାପା ।

ତେବେ ଜନ୍ମରୁ ସବୁକିଛି ଠିକ୍ ଥିଲା । ଏକ ବର୍ଷ ପରେ ଧିରେ ଧିରେ ଦେଖା ଦେଇଥିଲା ସମସ୍ୟା । ୨୨ ବର୍ଷ ମଧ୍ୟରେ ବହୁ ସ୍ଥାନକୁ ନେଇ ଝିଅର ଚିକିତ୍ସା କରାଇ ସର୍ବସ୍ୱାନ୍ତ ହୋଇସାରିଲେଣି ପରିବାର । କିଛି ସୁଫଳ ମିଳିନି । ଏବେ ପରିବାର ନିକଟରେ ଘର ନାହିଁ । ବାପା ମୁଲ ଲାଗିଲେ ଘର ଚଳିବ । ଗରିବ ଲୋକଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । କିନ୍ତୁ ଏସବୁ ସ୍ୱାତୀର ଅଭାବି ପରିବାର ପାଇଁ ଅପହଁଚ ।