‘ପାର୍ବତୀ’ଙ୍କ ମୁଣ୍ଡରେ ଦୁଃଖର ପାହାଡ଼: ବାପା-ମାଆଙ୍କ ମୃତ୍ୟୁ ପରେ ପଡୋଶୀଙ୍କ ଘରେ ମୁଣ୍ଡ ଗୁଂଜିଛନ୍ତି ୨୫ ବର୍ଷର ଯୁବତୀ; ଖବର କାଗଜ ବିକ୍ରୀ ପେଟ ପୋଷୁଛନ୍ତି ପାର୍ବତୀ

313

କନକ ବ୍ୟୁରୋ: ବାପା ମା ଆର ପାରିରେ। ଆର୍ଥିକ ଅନାଟନ ଯୋଗୁଁ ପାଠ ପଢାରେ ଲାଗିଲା ଡୋରି। ପୈତୃକ ସମ୍ପତି ବାବଦକୁ ଥିବା ଘର ବି ଜରାଜିର୍ଣ୍ଣ ଅବସ୍ଥାରେ । ଅର୍ଥ ଅଭାବରୁ ଅସଜଡା ଘରକୁ ସଜାଡି ପାରୁନାହାନ୍ତି । ତେଣୁ ପର ଘରେ ବିତୁଛି ଜୀବନ । ପେଟକୁ ଦୁଇ ମୁଠା ଆହାର ଯୋଗାଇବା ପାଇଁ ସକାଳେ ଖବର କାଗଜ ବିତରଣ କରିବା ବୃତି ଆପଣାଇଛନ୍ତି ଗୁଣୁପୁର ସହର ଅନ୍ତର୍ଗତ କୁମ୍ଭାର ସାହିର ଝିଅ ପାର୍ବତୀ ।

ଏକାକି, ଅସହାୟ ୨୫ ବର୍ଷିୟ ଯୁବତୀ ଏମ. ପାର୍ବତୀ । ୨୦୦୫ରେ ଚିକିତ୍ସା ଅଭାବରୁ ବାପା ଏମ ରାମମୁରତି ଆରପାରିକୁ ଚାଲିଯାଇଥିଲେ । ବାପାଙ୍କ ମୃତ୍ୟୁ ପରେ ମାଆ ସୁରେଖାଙ୍କ ସାହସରେ ଆଗକୁ ବଢୁଥିଲେ ପାର୍ବତୀ । ହେଲେ ମାଆ ବି ୨୦୧୭ ମସିହାରେ ଝିଅକୁ ଏକା କରି ଅଫେରା ରାଇଜକୁ ଚାଲିଗଲେ । ଆଉ ପିଲାଟି ଦିନରୁ ଦୁଃଖ ଓ ଅଭାବକୁ ଅତି ପାଖରୁ ଦେଖିଥିବା ପାର୍ବତୀ ଏବେ ପୁରା ଏକା । ଜୀବନ ଜିଇଁବା ପାଇଁ ପଡୋଶୀଙ୍କ ଘରେ ମୁଣ୍ଡ ଗୁଂଜିଥିବା ବେଳେ ଖାଇବା ପାଇଁ ସାଇକେଲ୍ ଖବର କାଗଜ ବିକ୍ରୀ କରୁଛନ୍ତି ଯୁବତୀ ।

ସାଇକେଲରେ ବୁଲି ବୁଲି ଗୁଣୁପୁର ସହରରେ ଖବର କାଗଜ ବିକ୍ରୀ କରନ୍ତି ପାର୍ବତୀ । ପ୍ରତି ଦିନ ସକାଳୁ ୩ ଘଂଟା ଧରି ପେପର ବିକ୍ରୀ କରି ମାସକୁ ୩ ହଜାର ଟଙ୍କା ରୋଜଗାର କରନ୍ତି ପାର୍ବତୀ । ପେପର ବିକି ଦୁଇମୁଠା ଦାନ ଯୋଗାଡ କରୁଥିବା ପାର୍ବତୀଙ୍କ ପାଇଁ ବୋଝ ପାଲଟିଛି ପୈତୃକ ସଂପତି ଉପରେ ଥିବା ଭଙ୍ଗା ଘର ବାବଦକୁ ଖଜଣା ପୈଠ କରିବା । ମାସକୁ ୩ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ପ୍ରାୟ ୧୬ ହଜାର ଟଙ୍କାର ଖଜଣା ପୌର ପରିଷଦରେ କେମିତି ଭରିବେ ସେହି ଚିନ୍ତାରେ ଘାଂଟି ହେଉଛନ୍ତି ଏହି ଅସହାୟ ଯୁବତୀ । ଏଭଳି ଅସହାୟ ଅବସ୍ଥାରେ ପରଖରେ ଆଶ୍ରା ନେଇଥିବା ପାର୍ବତୀ ସରକାରୀ ସହାୟତା ପାଇଁ ପଡୋଶୀ ଓ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି ।