କନକ ବ୍ୟୁରୋ : ମୃତ୍ୟୁ କେତେ ବେଳେ କେମିତି ଆସିବ କେହି କହିପାରିବେ ନାହିଁ । ହୋଟେଲରେ ଖାଇବାକୁ ବସିଥିବା ଜଣେ ବ୍ୟକ୍ତି ମାତ୍ର ୩୦ ସେକେଣ୍ଡ ଭିତରେ ସେଠାରେ ଟଳି ପଡିଛନ୍ତି । ଆଉ ସେହି ଲାଇଭ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଗତକାଲି ସନ୍ଧ୍ୟାରେ ପୁରୀ ବେଳାଭୂମୀର ପେଟପୂଜା ହୋଟେଲରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଛି ।

Advertisment

ଏଭଳି ଅସ୍ୱାଭାବିକ ମୃତ୍ୟୁ ଦେଖି ସେଠାରେ ଥିବା ସମସ୍ତ ବ୍ୟକ୍ତି ବିଚଳିତ ହୋଇପଡିଛନ୍ତି । ମୃତକ ଶ୍ରୀକାକୁଲମ ଅଞ୍ଚଳରେ ଓ ଦୀର୍ଘ ୨୦ ବର୍ଷ ହେଲା ସେ ରେଣୁକାଗଳିରେ ଜୋତା ସିଲାଇ କରି ପେଟ ପୋଷୁଥିଲେ । ହୋଟେଲ କର୍ମଚାରୀଙ୍କ କହିବା କଥା ପ୍ରତିଦିନ ସନ୍ଧ୍ୟାରେ ବ୍ୟକ୍ତିଜଣକ ଖାଇବାକୁ ଆସନ୍ତା । ହେଲେ ଗତକାଲି ଯାହା ଘଟିଗଲା ତାହା ସମସ୍ତଙ୍କ ହୋସ ଉଡାଇ ଦେଇଛି । ସିସିଟିଭି ଫୁଟେଜରେ ଥିବା ଭିଡିଓ ଅନୁସାରେ ହୋଟଲକୁ ପଶିବା ପରେ ଆସି ବେଞ୍ଚରେ ବସିଥିଲେ ।

ଏହା ପରେ ହଠାତ୍ ବେଂଚରୁ ତଳକୁ ଗଳିପଡିଥିଲେ । ହୋଟେଲ କର୍ମଚାରୀଙ୍କୁ ତାଙ୍କୁ ଉଠାଇ ମୁହଁରେ ପାଣି ଛାଡି ସାଷ୍ଟାମ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେତିକି ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମାତ୍ର ୩୦ ସେକେଣ୍ଡ ଭିତରେ ଆଖି ସାମ୍ନାରେ ଜଣେ ବ୍ୟକ୍ତଙ୍କ ମୃତ୍ୟୁ ହେବା ଘଟଣା ହୋଟେଲ କର୍ମଚାରୀଙ୍କ ସମେତ ଉପସ୍ଥିତ ସମସ୍ତଙ୍କୁ ବିଚଳିତ କରିଛି ।