କନକ ବ୍ୟୁରୋ: ରାଗିଛି ପ୍ରକୃତି ରାଣୀ । ଯାଉଛି ଜୀବନ । କେଉଁଠି ତାତିରେ ପ୍ରାଣହାନି । କେଉଁଠି ବନ୍ୟାରେ ମୃତ୍ୟୁ । ବିଚିତ୍ର ପାଣିପାଗରେ ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେବ ଦେଶର ପାଣିପାଗରେ ଆଶ୍ଚର୍ଯ୍ୟଜନକ ପରିବର୍ତନ ଦେଖାଦେଇଛି । ଅସହ୍ୟ ଗରମ, ତାତିରେ ଶିଶୁଠୁ ବୟସ୍କ ସମସ୍ତଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସୂଚନା ଅନୁସାରେ ହିଟୱେଭ, ଲ’ରେ ଆକ୍ରାନ୍ତ ହୋଇ ଚଳିତବର୍ଷ ବିଭିନ୍ନ ରାଜ୍ୟରୁ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

Advertisment

ଗୋଟେ ପଟେ ଅସହ୍ୟ ତାତି ଜୀବନ ନେଉଥିବାବେଳେ ସେପଟେ ଆସାମ, ସିକିମ, ଅରୁଣାଚଳପ୍ରଦେଶରେ ବର୍ଷା, ବନ୍ୟା ଓ ଭୁସ୍ଖଳନ ତାଣ୍ଡବ ରଚୁଛି । ଆସାମ ୧୫ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବା ସହ ୩୦ ଲୋକଙ୍କ ମୃତ୍ୟୁ ହୋଇଛି । ୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳରେ ରଖାଯାଇଛି । ସେପଟେ ସିକ୍କିମ ବୁଲିବାକୁ ଯାଇଥିବା ଶହ ଶହ ସଂଖ୍ୟକ ପର୍ଯ୍ୟଟକ ଫସିଥିବା ସୂଚନା ମିଳୁଛି ।

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଦଦ୍ଭୁତ ଗ୍ରୀଷ୍ମପ୍ରବାହ ଦେଖାଦେଇଛି । ଥଣ୍ଡା ଦେଶ ଆମେରିକା, ବିଟ୍ରେନରେ ମଧ୍ୟ କଲବଲ କରିଛି ଗରମ । ସେପଟେ ସାଉଦିଆରବରେ ତାଣ୍ଡବ ରଚିଛି ଗ୍ରୀଷ୍ମପ୍ରବାହ । ଗୋଟିଏ ସପ୍ତାହରେ ୫ଶହରୁ ଅଧିକ ହଜଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଯେଉଁଭଳି ଭାବେ ଜଳବାୟୁ ପରିବର୍ତନ ହେବାରେ ଲାଗିଛି ଜୀବନ ସଙ୍କଟରେ ପଡିଛି । ସମୟଥାଉ ଥାଉ ପରିବେଶ ଓ ପ୍ରକୃତି ପ୍ରତି ଧ୍ୟାନ ନଦିଆଗଲେ ଆଗକୁ ଦୁନିଆର ସ୍ଥିତି ଯେ ଅସମ୍ଭାଳ ହେବ ସେକଥା ଏବେଠୁ ସହଜରେ ଅନୁମେୟ ହେଲାଣି ।