କନକ ବ୍ୟୁରୋ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ପୁରିଛି ପୁରା ବର୍ଷେ । ୨୦୨୨ ଫେବୃଆରୀ ୨୪ ତାରିଖରେ ଋଷ ଶାସକ ପୁଟିନ୍ ଯୁଦ୍ଧଂଦେହୀ ଡାକରା ଦେବା ପରେ ଆରମ୍ଭ ହୋଇଯାଇଥିଲା ଆକ୍ରମଣ । ଯାହା ଆଜିଯାଏଁ ସରିନି । ଅନେକ ଆଲୋଚନା ପର୍ଯ୍ୟାଲୋଚନା ସରିଯାଇଛି । ହେଲେ କିଛି ବି ନିଷ୍କର୍ଷ ବାହାରିପାରୁନି । ଦୁଇ ପକ୍ଷର ନେତା ନିଜ ନିଜ ଜିଦିରେ ଅଟଳ । ଜଣେ ପଛକୁ ହଟିବାକୁ ନାରାଜ ଆଉ ଜଣେ ଇଞ୍ଚେ ମାଟି ଛାଡିବାକୁ ନାରାଜ । ହେଲେ ଏ ଜିଦ୍ ଭିତରେ ବଳି ପଡୁଛନ୍ତି ସାଧାରଣ ନିରିହ ଜନତା । ଛାରଖାର ହୋଇଛନ୍ତି ଅନେକ ପରିବାର, ଅନାଥ ହୋଇଛନ୍ତି ହଜାର ହଜାର ଶିଶୁ । ଆଉ ନିଜ ଦେଶରେ ଶରଣାର୍ଥୀ ପାଲଟିଯାଇଛନ୍ତି ଲକ୍ଷ ଲକ୍ଷ ନାଗରିକ ।

Advertisment

ଋଷ – ୟୁକ୍ରେନ୍ ଦୁଇ ଦେଶର ଶାସକଙ୍କ ଜିଦ୍ ର ପରିଣାମ ଭୋଗିଛନ୍ତି ନୀରିହ ନାଗରିକ । ଏ ପରିଣାମ ଖାଲି ଦୁଇ ଦେଶ ଭିତରେ ସୀମିତ ହୋଇନାହିଁ ।ସାରା ବିଶ୍ୱକୁ ଭୋଗିବାକୁ ପଡିଛି ଏହାର ଭୟାବହତା । ଜଣେ ଜଣଙ୍କୁ ସ୍ୱାଧୀନ ଭାବେ ଦେଖିବାକୁ ଚାହେଁନା । ଜଣେ ଅନ୍ୟଜଣଙ୍କର ଖୁସି ସମୃଦ୍ଧି ସହିପାରେନା । ଆଉ କେହି ଉପରକୁ ଉଠିବାକୁ ଚାହିଁଲେ ତାକୁ ଦଳିଚକଡି ମାଯିରେ ମିଶାଇଦେବାକୁ ଚାହେଁ । ଯାହା ପ୍ରମାଣ କରିଛି ଦୁର୍ଦ୍ଦଶ ଋଷ । ୟୁକ୍ରେନ କାଳେ ନାଟୋ ଦେଶରେ ମିଶିଯିବା ସାମରିକ ଶକ୍ିରେ ବଳିୟାନ ହୋଇଯିବ ଏ ଭୟରେ ତାକୁ ଅବଦମିତ କରିବାକୁ ଚେଷ୍ଟା କରୁଛିି । ଏ ଇର୍ଷା ଅସୂୟା ଆଜି ଆଉ ଦୁଇ ଦେଶ ଭିତରେ ଯୁଦ୍ଧ ଭିତରେ ସୀମିତ ହୋଇନାହିଁ । ଆଗକୁ ଏହା ବିଶ୍ୱ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ଭାଙ୍ଗି ପଡିଛି ସାରା ବିଶ୍ୱର ଆର୍ଥିକ ମେରୁଦଣ୍ଡ । ଦୁଇ ପକ୍ଷକୁ ଆକ୍ଷେପ ପ୍ରତିଆକ୍ଷେପ ଭିତରେ ଦେଶ ଦେଶ ଭିତରେ ସୃଷ୍ଟି ହୋିଛି ଶତୃତା ।

୨୦୨୨ ଫେବୃଆରୀ ୨୪ ତାରିଖ ଯେତେବେଳେ ୟୁକ୍ରେନ ମାଟିରେ ମାଡ ହେଲା ମିଶାଇଲ । ବାଜିଉଠିଲା ସାଇରନ୍ । ପ୍ରାଣ ବଞ୍ଚାଇବାକୁ ବଙ୍କର ଭିତରେ ପଶିଗଲେ ଲୋକେ । ଆଉ ଯିଏ ନଯାଇପାରିଲା ମିଶାଇଲର ନିଆଁରେ ପାଉଁଶ ହୋଇଗଲା । ଚାହୁଁ ଚାହୁଁ ୟୁକ୍ରେନ୍ ଭିରତକୁ ମାଡିଆସିଲେ ଅଢେଇ ଲକ୍ଷ ଋଷ ସୈନ୍ୟ । ଗୋଟେ ପରେ ଗୋଟେ ସହରକୁ ଦଖଲ କରିଚାଲିଲେ । ଗୁଳିଗୋଳାର ଗର୍ଜନ, ବୋମା ମାଡ, ତା ସାଙ୍ଗକୁ ମିଶାଇଲର ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ଓଡେଶା, ଜାପୋରିଜିଆ,ମାରିୟୁପୋଲ, ଖାରକିବ୍, କିଭ ପରି ଏକାଧିକ ସହର । ଚାରିଆଡେ ମୃତ୍ୟୁ ଜିହ୍ୱା ଲହ ଲହ କରୁଥାଏ ।

ତଥାପି ହାର ମାନିନଥିଲେ ୟୁକ୍ରେନ ସେନା । ରାଷ୍ଟ୍ର ମୁଖ୍ୟଙ୍କ ମାନ ରକ୍ଷା କରିବାକୁ ଯାଇ ସେମାନେ ବି ଶତ୍ରୁକୁ ପରାହତ କରିବାକୁ ଯତପରୋନାସ୍ତି ଚେଷ୍ଟା କଲେ । ଦୁଇ ପକ୍ଷର ଆକ୍ରମଣରେ ଟଳିପଡିଲେ କେତେଯେ ସୈନିକ ତା’ର ଠିକଣା ନାହିଁ । ପ୍ରାଣ ବଞ୍ଚାଇବାକୁ ପଡୋଶୀ ଦେଶରେ ଶରଣ ପଶିଲେ ୟୁକ୍ରେନର ନାଗରିକ । ସେ ସମୟର କିଛି ଦୃଶ୍ୟ ସାରା ବଞ୍ଚାଇବାକୁ ଦୋହଲାଇଦେଇଥିଲା । ନିଜ ଜୀବନକୁ ବାଜି ଲଗାଇ ଯେତେବେଳେ ମା’ଟିଏ ନିଜ କୁନି ପୁଅଟିକୁ ପଡୋଶୀ ଦେଶକୁ ପଠାଇଦେଉଥାଏ । ଆଉ ପୁଅଟି ହାତରେ କିଛି ଖାଇବା ଆଉ ଗୋଟେ କଣ୍ଢେଇ ଧରି ରାସ୍ତାରେ ଚାଲି ଚାଲିଯାଉଥାଏ, ବାପା, ମା’ଙ୍କୁ ଝୁରି ଝୁରି କଇଁ କଇଁ ହୋଇ କାନ୍ଦୁଥାଏ । ଏ କାନ୍ଦ ସାରା ବିଶ୍ୱବାସୀଙ୍କୁ ଆଖିକୁ ଓଦା କରିଦେଇଥିଲା । ହଜାର ହଜାର ଶିଶୁ ଏପରି ବାସହରା ହୋଇଗଲେ । ତଥାପି ତରଳିଲାନି ଅହଂକାରୀ ଶାସକର ମନ ।

ନିଜ ନିଜ ଶାସକଙ୍କ ଜିଦ ଯୋଗୁଁ ଋଷର ୧.୮୦ ଲକ୍ଷ ସୈନିକ, ଓ ୟୁକ୍ରେନର ଦେଢ ଲକ୍ଷରୁ ଅଧିକ ସୈନିକ ପ୍ରାଣ ହରାଇଲେ । ପଙ୍ଗୁ ହୋଇଗଲେ ଅନେକ । ତଥାପି ନିଜ ଜିଦରେ ଅଟଳ ଦୁଇ ଦେଶର ମୁଖିଆ । ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ନିଜ ଅଧିକାର ଛାଡିବାକୁ ଚାହୁଁନଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବି ୟୁକ୍ରେନ ମାଟିରୁ ହଟିବାକୁ ଚାହୁଁନାହାଁନ୍ତି । ଏପରି ସ୍ଥଳେ ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା କରୁଛି ବିଶ୍ୱ ସମୁଦାୟ ।