ପାକିସ୍ତାନକୁ ମିଳିଲା ନୂଆ ସେନାଧ୍ୟକ୍ଷ, ବାଜୱାଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନୀର

114

କନକ ବ୍ୟୁରୋ : ପାକିସ୍ତାନରେ ଲାଗି ରହିଥିବା କ୍ଷମତା ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଦେଶପାଇଁ ନୂଆ ସେନାମୁଖ୍ୟ ଚୟନ କରିଛନ୍ତି । ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ପାକିସ୍ତାନର ସୂଚନା ମନ୍ତ୍ରୀ ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟରେ ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କୁ ପାକିସ୍ତାନର ସେନା ମୁଖ୍ୟଭାବେ ଚୟନ କରିଛନ୍ତି ।

ଚଳିତମାସ ଶେଷରେ ଜେନେରାଲ କମର ଜାବେଦ ବାଜୱା ସେନାମୁଖ୍ୟ ପଦରୁ ଅବସର ନେଉଛନ୍ତି । ତାଙ୍କ ସ୍ଥାନରେ ଅସୀମ ମୁନିର ସେନାମୁଖ୍ୟ ହେବେ । କମର ଜାବେଦ ବାଜୱା ଦୀର୍ଘ ୬ ବର୍ଷ ହେବ ପାକିସ୍ତାନର ସେନାମୁଖ୍ୟ ପଦ ସମ୍ଭାଳିଥିଲେ ।

କହିରଖୁ କି ବାଜୱାଙ୍କ ପରେ କିଏ ହେବ ପାକିସ୍ତାନର ସେନାମୁଖ୍ୟ ତାହାକୁ ନେଇ ଅନେକଦିନ ହେବ କଳ୍ପନା ଜଳ୍ପନା ଲାଗି ରହିଥିଲା । ଏନେଇ ସେନାର ୬ ଜଣ କମାଣ୍ଡରଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏବେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନୀରଙ୍କ ନାମ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯାଇଛି । ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିବା ପରେ ଅସୀମ ମୁନୀର ସେନା ମୁଖ୍ୟ ଭାବେ ଶପଥ ନେବେ ।