କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ପ୍ରତିବାଦ ଜାରି ରହିଥିବାବେଳେ ଏଥିପାଇଁ ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ରାମଲୀଳା ମଇଦାନରେ ଆୟୋଜିତ ଏକ ନିର୍ବାଚନୀ ରାଲିରୁ କହିଛନ୍ତି ଏହି ଆଇନ କୌଣସି ଭାରତୀୟ ନାଗରିକଙ୍କ ପାଇଁ ନୁହେଁ । ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ପ୍ରତାଡିତଙ୍କୁ ନାଗରିକତା ଦେବା ପାଇଁ ଉଦ୍ଧିଷ୍ଟ । ବିରୋଧୀମାନେ ଜାଣି ଶୁଣି ମୁସଲମାନଙ୍କୁ ଭ୍ରମିତ କରୁଛନ୍ତି ।

Advertisment

ମୋଦି କହିଛନ୍ତି କି, ସିଏଏକୁ ଗରିବ ବିରୋଧୀ ବୋଲି ଦର୍ଶାଇ ବିରୋଧୀ ଦଳମାନେ ମିଥ୍ୟା ପ୍ରଚାର ଚଳାଇଛନ୍ତି। ଏଭଳି ଲୋକଙ୍କୁ ଚିହ୍ନଟ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଯେଉଁମାନଙ୍କ ରାଜନୀତି ପୂର୍ବରୁ କେବଳ ଭୋଟ୍ବ୍ୟାଙ୍କ ଉପରେ ଆଧାରିତ ଥିଲା ସେମାନେ ଏବେ କେବଳ ରାଜନୈତିକ ଫାଇଦା ପାଇଁ ମୁସଲମାନଙ୍କୁ ଡରାଉଛନ୍ତି। ଦେଶରେ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ଲଗାତାର ପ୍ରୟାସ କରୁଛନ୍ତି। ସ୍କୁଲ ବସ୍, ଟ୍ରେନରେ ଆକ୍ରମଣ ହେଉଛି, ଯାନବାହନ ପୋଡ଼ି ଦିଆଯାଉଛି, ଦୋକାନ ଜାଳି ଦିଆଯାଉଛି। ଦେଶର ସଚ୍ଚୋଟ କରଦାତାଙ୍କ ଅର୍ଥରେ ତିଆରି ହୋଇଥିବା ସରକାରୀ ସମ୍ପତ୍ତିକୁ ଜାଳି ପୋଡ଼ି ପାଉଁଶ କରିଦିଆଯାଉଛି। ଏଭଳି କରିବା ପଛରେ ସେମାନଙ୍କ ଲକ୍ଷ୍ୟ କ’ଣ ତାହା ଦେଶବାସୀ ଭଲଭାବେ ଜାଣି ଗଲେଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶବାସୀ ମତେ ପ୍ରଧାନମନ୍ତ୍ରୀ କରିଛନ୍ତି, ଯଦି ମୁଁ ଆପଣମାନଙ୍କ ପସନ୍ଦ ନାହିଁ ତା’ହେଲେ ମତେ ଗାଳି ଦିଅନ୍ତୁ, ବିରୋଧ କରନ୍ତୁ, ମୋର କୁଶପୁତ୍ତଳିକା ଜଳାନ୍ତୁ। କିନ୍ତୁ ଦେଶର ସମ୍ପତ୍ତି ଜଳାଇବା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାର ବିଭିନ୍ନ ଯୋଜନାର ଫାଇଦା ଲୋକଙ୍କୁ ପ୍ରଦାନ କରିବା ବେଳେ କେବେ କାହାକୁ ଧର୍ମ ପଚାରି ନାହାନ୍ତି। ଦିଲ୍ଲୀର ବେଆଇନ କଲୋନୀରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ସେମାନଙ୍କ ବାସସ୍ଥାନର ଅଧିକାର ପ୍ରଦାନ କରାଯାଇଛି। ଏଥିପାଇଁ କାହାର ଜାତି, ଧର୍ମ ପଚରାଯାଇଛି କି ବୋଲି ମୋଦୀ ପ୍ରଶ୍ନ କରିଥିଲେ। । ସଂସଦରେ ଗୃହୀତ ହୋଇଥିବା ବିଲ୍ ଆଇନରେ ପରିଣତ ହୋଇଛି ଏବଂ ଏହାକୁ ବିରୋଧୀ ଦଳମାନଙ୍କୁ ସମ୍ମାନ ଦେବାକୁ ପଡ଼ିବ। ଯେଉଁମାନେ ମିଥ୍ୟା ପ୍ରଚାର କରୁଛନ୍ତି ସେମାନଙ୍କୁ ମୁଁ ଚ୍ୟାଲେଂଜ କରୁଛି, ମୋର ପ୍ରତ୍ୟେକଟି କାର୍ୟ୍ୟ ଓ ପଦକ୍ଷେପର ସେମାନେ ଯାଞ୍ଚ କରନ୍ତୁ। କେବେ ବି କୌଣସି କ୍ଷେତ୍ରରେ ସେମାନେ ଭେଦଭାବ ଦେଖିବାକୁ ପାଇବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏପଟେ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ବିଜୁ ଜନତା ଦଳ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିଛି । ତେବେ ଏଆରସିକୁ ବୋଧହୁଏ ଠିକ୍ ଭାବେ ବୁଝି ନଥିବାରୁ ରାଜ୍ୟରେ ଲାଗୁ କରିବାକୁ ମନା କରୁଥାଇପାରନ୍ତି ବୋଲି କହିଛନ୍ତି ।