ଏଣିକି କୌଣସି ବି ଆରଟିଓ ଅଫିସରେ କରିପାରିବେ ଗାଡି ରେଜିଷ୍ଟ୍ରେସନ ଆଉ ଡ୍ରାଇଭିଂ ଲାଇସେନ୍ସ: ରାଜ୍ୟର ସବୁ ଆରଟିଓଙ୍କୁ ପରିବହନ କମିସନରଙ୍କ ନୂଆ ସର୍କୁଲାର

Advertisment
ଏଣିକି କୌଣସି ବି ଆରଟିଓ ଅଫିସରେ କରିପାରିବେ ଗାଡି ରେଜିଷ୍ଟ୍ରେସନ ଆଉ ଡ୍ରାଇଭିଂ ଲାଇସେନ୍ସ: ରାଜ୍ୟର ସବୁ ଆରଟିଓଙ୍କୁ ପରିବହନ କମିସନରଙ୍କ ନୂଆ ସର୍କୁଲାର

କନକ ବ୍ୟୁରୋ: ଏଣିକି ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଗାଡ଼ି ପଞ୍ଜୀକରଣ କରିହେବ। ସଂଶୋଧିତ ମୋଟର ଯାନ ଆଇନର ବ୍ୟବସ୍ଥା ନେଇ ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପାଇଁ ନୂଆ ସର୍କୁଲାର ଜାରି କରିଛନ୍ତି ରାଜ୍ୟ ପରିବହନ କମିସନର। ଗାଡ଼ି ପଞ୍ଜୀକରଣ ନେଇ ଗାଡ଼ି ମାଲିକଙ୍କୁ କିଛି ଆରଟିଓ ସମ୍ପୃକ୍ତ ଅଞ୍ଚଳର ଠିକଣା ପ୍ରମାଣ ପତ୍ର ମାଗୁଥିବା ନେଇ ଅଭିଯୋଗ ହେବା ପରେ ପରିବହନ କମିସନର ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାସହିତ ରାଜ୍ୟ ଭିତରେ ଥିବା ଯେ କୌଣସି ଆରଟିଓ ଅଫିସରୁ ଲର୍ଣ୍ଣିଂ ଲାଇସେନ୍ସ ଓ ଚୂଡ଼ାନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ ବୋଲି କମିସନର ଜଣାଇଛନ୍ତି।

ସର୍କୁଲାର ଅନୁଯାୟୀ, ୨୦୧୯ରେ ସଂଶୋଧିତ ମୋଟର ଯାନ ଆଇନ ୧୯୮୮ ମୁତାବକ ସମଗ୍ର ରାଜ୍ୟକୁ ଏକକ ୟୁନିଟ୍ ଭାବେ ବିବେଚନା କରାଯାଇଛି। ଫଳରେ ରାଜ୍ୟରେ ଥିବା ଯେ କୌଣସି ଆରଟିଓ କାର୍ଯ୍ୟାଳୟରେ ଯେ କୌଣସି ଗାଡ଼ି ମାଲିକ ଗାଡ଼ିର ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କିନ୍ତୁ ଆଇନର ସଂଶୋଧିତ ବ୍ୟବସ୍ଥା ବିଷୟରେ କିଛି ଆରଟିଓ ଅଜ୍ଞ ଥିବାରୁ ଏହି ସୁବିଧା ଲୋକଙ୍କୁ ମିଳିପାରୁନି। ତୁରନ୍ତ ଏହି ସୁବିଧା ଲୋକଙ୍କୁ ଯୋଗାଇଦେବାକୁ କମିସନର ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ଗୋଟିଏ ସ୍ଥାନରେ ଗାଡ଼ି କିଣା ହୋଇଥିଲେ ବି ଗାଡ଼ି ମାଲିକ ନିଜର ପରିଚୟ ଓ ଠିକଣା ପ୍ରମାଣ ପତ୍ରର ନକଲ ଦାଖଲ କରି ରାଜ୍ୟର ଯେ କୌଣସି ଆରଟିଓ ଅଫିସରେ ଗାଡ଼ିର କାଗଜପତ୍ର କରିପାରିବେ।

ଏଥିପାଇଁ ନିର୍ଦ୍ଦିଷ୍ଟ ଆରଟିଓଙ୍କ ପରିସୀମା ଭିତରେ ବାସ କରୁଥିବା ନେଇ କୌଣସି ବାଧ୍ୟବାଧ୍ୟକତା ନାହିଁ। ସେହିପରି ଗାଡ଼ିର ଫ୍ୟାନସି ନମ୍ବର ପାଇଁ ଆବେଦନ କରିଥିବା ଗାଡ଼ି ମାଲିକ ଯଦି ସମ୍ପୃକ୍ତ ଆରଟିଓଙ୍କ ପାଖରେ ନମ୍ବର ସଂରକ୍ଷଣ ନେଇ ସୁବିଧା ନ ପାଆନ୍ତି ତାହେଲେ ସେ ଅନ୍ୟ ଆରଟିଓ ଅଧୀନରେ ଫ୍ୟାନସି ନମ୍ବର ପାଇଁ ସଂରକ୍ଷଣ ସୁବିଧା ପାଇପାରିବେ। କମିସନଙ୍କ ଏହି ନିର୍ଦେଶାବଳୀ ତୁରନ୍ତ ଆରଟିଓମାନେ କାର୍ଯ୍ୟକାରୀ କରିବାକୁ ସର୍କୁଲାର ଜରିଆରେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe