କନକ ବ୍ୟୁରୋ: ଦେଶର ସବୁଠୁ ବଡ ଇନସୁରାନ୍ସ କମ୍ପାନୀ ଏଲଆଇସିକୁ ଆପଣ ବେଶ ଭଲ ଭାବେ ଜାଣିଥିବେ । ଆପଣଙ୍କ ଭିତରୁ ଅନେକ ଜଣ, ଏଥରେ ଟଙ୍କା ମଧ୍ୟ ବିନିଯୋଗ କରିଥିବେ । ଆଉ ଏବେ ଏହି ଏଲଆଇସି କମ୍ପାନୀକୁ ନେଇ ଆସିଛି ଏକ ବଡ ଖବର । ଦେଶର ସବୁଠୁ ବଡ ଇନସୁରାନ୍ସ କମ୍ପାନୀ ଆସନ୍ତା ମାସରେ ନିଜର ଆଇପିଓ ନେଇ ଆସୁଛି । ଯାହାକୁ ଅନେକ ଲୋକ ବେଶ୍ ଉକ୍ରଣ୍ଠାର ସହ ଅପେକ୍ଷା ବି କରିଛନ୍ତି । ହେଲେ କମ୍ପାନୀ ଏହି ଆଇପିଓ ପାଇଁ ଡ୍ରାଫ୍ଟ ପେପର ଜମା କଲାବେଳେ ଏକ ବଡ ସୂଚନା ସାମ୍ନାକୁ ଆସିଛି ।
ଏଲଆଇସି ଦାଖଲ କରିଥିବା ଡ୍ରାଫ୍ଟ ପେପରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏଲଆଇସି ପାଖରେ ୨୦ ହଜାର କୋଟି ଅନ୍-କ୍ଲେମ୍ ରାଶି ରହିଛି । ଏହାର ଅର୍ଥ, ଏହି ଟଙ୍କା ଉପରେ କ୍ଲେମ୍ କରିବା ପାଇଁ କେହି ବି ଲୋକ ନାହାଁନ୍ତି । ତେବେ ଏହି ଟଙ୍କାର ପରିମାଣ ଏତେ ଯେ, ଦେଶର କିଛି ବଡ ବଡ ମନ୍ତ୍ରାଳୟର ବଜେଟ ବି ଏହାଠାରୁ ଢେର୍ କମ ହେବ ।
ଏଲଆଇସି ରବିବାର ନିଜର ଆଇପିଓ ପାଇଁ ଡ୍ରାଫ୍ଟ ପେପର ପ୍ରସ୍ତୁତ କରିଛି । ଯାହାକି ଭାରତର ସବୁଠୁ ବଡ ଆଇପିଓ ହେବ । ତେବେ ଏଲଆଇସି ଆଇପିଓର ଡିଏଚଆରପି ମୁତାବକ, ଦେଶର ସବୁଠୁ ବଡ ଇନସୁରାନ୍ସ କମ୍ପାନୀ ପାଖରେ ମୋଟ ୨୧ ହଜାର ୫୩୯ କୋଟି ଟଙ୍କାର ଅନ୍-କ୍ଲେମ୍ ରାଶି ରହିଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏଲଆଇସି ପାଖରେ ଏହି ଅନକ୍ଲେମ୍ ଟଙ୍କା ୧୮ ହଜାର ୪୯୫ କୋଟି ଥିଲାବେଳେ ମାତ୍ର ୬ ମାସ ଭିତରେ ଏହାର ପରିମାଣ ବଢି ଏବେ ୨୦ ହଜାର କୋଟି ଟପିଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ଅନ-କ୍ଲେମ୍ ଟଙ୍କା ଭିତରେ ଏମିତି ବି କ୍ଲେମ୍ ଅଛି, ଯାହାକୁ ସେଟେଲ କରିବା ପରେ ବି, ଏପର୍ଯ୍ୟନ୍ତ ପେମେଂଟ ହେଇନି । ତା ସହିତ ପଲିସି ମ୍ୟାଚୁର ହେଲା ବି , ଯେଉଁ ପଲିସି ହୋଲ୍ଡର ନଜାଣି ଟଙ୍କା ଜମା କରିଛନ୍ତି, ତାଙ୍କ ଟଙ୍କା ମଧ୍ୟ ଏହି ଅନକ୍ଲେମ୍ ଟଙ୍କା ଭିତରେ ରହିଛି । ଯାହାକୁ କେବେ ବି ରି-ଫଣ୍ଡ କରାଯାଇପାରିବ ନାହିଁ ।ମିଡିଆ ରିପୋର୍ଟସ ଅନୁସାରେ, ଏଲଆଇସିର ଏହି ଅନ-କ୍ଲେମ୍ ଟଙ୍କା ଏତେ ଯେ, ଦେଶର କିଛି ବଡ ବଡ ମନ୍ତ୍ରାଳୟର ବଜେଟ୍ ମଧ୍ୟ ୟା ଆଗରେ କମ ପଡିଯିବ । ଦେଶର ସିଭିଲ୍ ମିନିଷ୍ଟ୍ରିର ବଜେଟ୍ ୧୦ ହଜାର କୋଟିରୁ ସାମାନ୍ୟ ଅଧିକ ଅଟେ । ସେହିଭଳି ବିଦେଶ ମନ୍ତ୍ରାଳୟର ବଜେଟ୍ ବି ୧୭ ହଜାର କୋଟିରୁ ଅଳ୍ପ ଅଧିକ । ହେଲେ ଏଲଆଇସିର ଏହି ଅନକ୍ଲେମ୍ ରାଶିର ପରିମାଣ ୨୦ ହଜାର କୋଟି ରହିଛି । ଯାହାକି ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ତେବେ କେବଳ, ଏଲଆଇସି ପାଖରେ ନୁହେଁ, ଦେଶର ଅନେକ ବ୍ୟାଙ୍କ୍ ପାଖରେ ମଧ୍ୟ ଏମିତି କୋଟି କୋଟି ଟଙ୍କାର ଅନ-କ୍ଲେମ ଟଙ୍କା ରହିଛି । ଯାହାକୁ କେହି ବି କ୍ଲେମ୍ କରିବାକୁ ନାହାଁନ୍ତି । ସେହିଭଳି ଷ୍ଟକ୍ ମାର୍କେଟରେ ମଧ୍ୟ କୋଟି କୋଟି ଟଙ୍କାର ଅନକ୍ଲେମ୍ ଟଙ୍କା ପଡିରହିଛି ।
Follow Us