ହିଣ୍ଡେନବର୍ଗ ଚଡ଼କ ପରେ ଆଦାନୀ ସହ ଖସୁଛି ଏଲଆଇସି ସେୟାର: ନିବେଶକ ଓ ବୀମା ଧାରକ ମଧ୍ୟରେ ଭାଳେଣି

440

କନକ ବ୍ୟୁରୋ: କିଛି ଦିନ ହେଲା ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ସେୟାର ମୂଲ୍ୟ ଖସିବାରେ ଲାଗିଛି । ଶୁକ୍ରବାର ଷ୍ଟକ ମାର୍କେଟରେ ଏଲଆଇସିର ସେୟାର ଏକ ପ୍ରତିଶତ କମିବା ପରେ, ଏଲଆଇସିର ସେୟାର ମୂଲ୍ୟ ସର୍ବକାଳୀନ ତଳକୁ ଖସି ୫୮୨ ଟଙ୍କାକୁ ହ୍ରାସ ପାଇଛି । ଅବଶ୍ୟ ପରେ ସେୟାର ମୂଲ୍ୟରେ ସୁଧାର ଆସି ୫୮୫ ଟଙ୍କାରେ ପହଁଚିଥିଲା । ସେୟାର ମୂଲ୍ୟ ଖସୁଥିବାବେଳେ, ଭୟଭୀତ ହୋଇପଡିଛନ୍ତି ଏଲଆଇସି ନିବେଶକ ।

ଏଲଆଇସି ସେୟାର ମୂଲ୍ୟ ହ୍ରାସ ପରେ, ବୀମା ଧାରକ ଓ ନିବେଶକ ମାନେ ଭୟଭୀତ ହୋଇପଡିଛନ୍ତି । କିନ୍ତୁ ଏଲଆଇସିରେ ଜୀବନ ବୀମା କରିଥିବା ଲୋକଙ୍କର କୌଣସି କ୍ଷତି ହେବ ନାହିଁ ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଏଥିସହ ସେୟାର ମୂଲ୍ୟ କମିବା ସମୟରେ ନିବେଶ କଲେ ଆଗାମି ଦିନରେ ଲାଭ ବୋଲି କହିଛନ୍ତି । ତେବେ ଯେଉଁମାନେ ଏଲଆଇସି ସେୟାର କିଣିଛନ୍ତି, ସେମାନେ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇପାରନ୍ତି ।

ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀରେ ୩୦ହଜାର ୧୨୭ କୋଟି ଟଙ୍କା ନିବେଶ କରିଥିଲା ଏଲଆଇସି । ଯାହାର ମୂଲ୍ୟ ଗୋଟିଏ ସମୟରେ ପ୍ରାୟ ୫୬ ହଜାର କୋଟି ଟଙ୍କାରେ ପହଁଚିଥିଲା । କିନ୍ତୁ ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ, ଆଦାନୀ ଗ୍ରୁପ ସେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଯାହାର ପ୍ରଭାବରେ ଆଦାନୀ ଗ୍ରୁପରେ ଏଲଆଇସି ନିବେଶ କରିଥିବା ପୁଞ୍ଜିର ମୂଲ୍ୟ, ଏବେ ସୁଦ୍ଧା ପ୍ରାୟ ୩ହଜାର କୋଟି ଟଙ୍କା କ୍ଷତି ହୋଇଛି । ଅର୍ଥାତ ଆଦାନୀ ଗ୍ରୁପରେ ଏଲଆଇସି ନିବେଶ କରିଥିବା ୩୦ ହଜାର କୋଟି ଟଙ୍କା, ୨୭ ହଜାର କୋଟି ଟଙ୍କାରେ ପହଁଚି ଯାଇଛି । ତେବେ ଏଲଆଇସି ଭଳି ବଡ ସଂସ୍ଥାକୁ ଏହି କ୍ଷତି ବିଶେଷ ଭାବେ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।

ହିଣ୍ଡେନବର୍ଗ ରିପୋର୍ଟ ପରେ, ଆଦାନୀ ଗ୍ରୁପର ପ୍ରାୟ ୧୨ଲକ୍ଷ କୋଟି ଟଙ୍କା କ୍ଷତି ହେଲାଣି । ଶୁକ୍ରବାର ଆଦାନୀ ଗ୍ରୁପର ୧୦ଟି ଗ୍ରୁପ୍ର ସେୟାର ମୂଲ୍ୟ ରେଡ ସିଗନାଲରେ ବନ୍ଦ ହୋଇଥିଲା । ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ଟ୍ରାନ୍ସମିଶନ, ଓ ଆଦାନୀ ପାୱାର ସେୟାର ମୂଲ୍ୟ ୫ପ୍ରତିଶତ ତଳେ ବନ୍ଦ ହୋଇଥିଲା । ଏପରିକି ଗ୍ରୁପର ଫ୍ଲାଗସିପ୍ ଆଦାନୀ ଏଂଟରପ୍ରାଇଜେସର ମୂଲ୍ୟ ୫ପ୍ରତିଶତ ତଳେ ବନ୍ଦ ରହିଥିଲା ।