ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ବଡ ଖବର : ଆଇପିଓକୁ ପ୍ରଭାବରେ ହୋଇପାରେ ଛଟେଇ !

200

କନକ ବ୍ୟୁରୋ : ଏଲ୍‌ଆଇସିର ଇନିସିଆଲ ପବ୍ଲିକ୍ ଅଫରକୁ ନେଇ ସର୍ବଭାରତୀୟ ଏଲଆଇସି କର୍ମଚାରୀ ମହାସଂଘ ଚିନ୍ତା ପ୍ରକଟ କରିଛି । ଏହାର ପ୍ରଭାବରେ କର୍ମଚାରୀ ଛଟେଇ ହେବ ଓ ସାମାଜିକ ଭିତ୍ତିଭୂମିରେ ବ୍ୟୟ ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ମହାସଂଘର ସାଧାରଣ ସମ୍ପାଦକ ରାଜେଶ କୁମାର କହିଛନ୍ତି ଯେ ଗ୍ରାମାଞ୍ଚଳରେ ଏବଂ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକମାନଙ୍କୁ ବୀମା ପ୍ରଦାନ କରିବା ଲାଗି ଏଲ୍‌ଆଇସି ସ୍ଥାପନ କରାଯାଇଥିଲା । ଏହି ସଂସ୍ଥା ଏବେ ସଡ଼କ, ରେଳପଥ ଓ ବିଦ୍ୟୁତ ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ବିକାଶ କାର୍ଯ୍ୟ ଲାଗି ଗତ ଛଅ ଦଶନ୍ଧି ଧରି ପାଣ୍ଠି ଯୋଗାଉଛି । କିନ୍ତୁ ଆଇପିଓ ଆସିବା ପରେ କଂପାନି ଏସବୁ କାର୍ଯ୍ୟ ଉପରେ ଧ୍ୟାନ ନଦେଇ କିଭଳି ଅଧିକ ଲାଭ କରିବ ତାହା ଉପରେ ଗୁରୁତ୍ବ ଦେବ ବୋଲି ବ୍ଲୁମ୍‌ବର୍ଗ ଟିଭି ସହ ସାକ୍ଷାତକାରରେ ଶ୍ରୀ କୁମାର କହିଛନ୍ତି ।

ଏଲ୍‌ଆଇସି ପାଇଁ ୧,୧୪,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏହି ମହାସଂଘ ଅଧୀନରେ ପ୍ରାୟ ୪୦୦୦ କର୍ମଚାରୀ ରହିଛନ୍ତି । ଏଲ୍ଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ ନକରିବା ଲାଗି ନିବେଦନ କରି ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ସାଂସଦମାନଙ୍କୁ ଚିଠି ଲେଖାଯାଇଛି । ଶ୍ରୀ କୁମାର କହିଛନ୍ତି ଯେ ଜାତୀୟ ସମ୍ପତ୍ତିକୁ ବିକ୍ରି କରିବା ଏକ ଉଦ୍ଦେଶ୍ୟମୂଳକ ବିଭ୍ରାଟ ନୀତି । ଏହା ଦ୍ବାରା ନିଯୁକ୍ତି ହ୍ରାସ ପାଇବ, ଅଧିକ କାମ ଆଉଟ୍‌ସୋର୍ସିଂ ହେବ ଓ କର୍ମଚାରୀ ଛଟେଇ ମଧ୍ୟ କରାଯିବାର ଆଶଙ୍କା ରହିବ ବୋଲି‌ ସେ କହିଛନ୍ତି ।

ପୁଞ୍ଜି ପ୍ରତ୍ୟାହାର ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ଅଧିକ ଗୁରୁତ୍ବ ଦେଉଥିବା ମୋଦୀ ସରକାର ଏଲ୍‌ଆଇସିର ୧୦% ଅଂଶଧନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ଘୋଷଣା କରିଥିଲେ । ଏଲ୍‌ଆଇସି ଆଇପିଓକୁ ଏକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିବା ଲାଗି କାମ ଚାଲିଛି । ବିଦେଶୀ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦେଶରେ ରୋଡ୍‌ ସୋ’ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଲ୍‌ଆଇସି ଆଇପିଓ ପରିଚାଳନା କରିବା ଲାଗି ୧୦ଟି ବ୍ୟାଙ୍କ ଚୟନ କରାଯାଇଛି । ଥରେ ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଠାରୁ ବଡ଼ ସଂସ୍ଥା ଭାବେ ଏଲ୍‌ଆଇସି ଉଭା ହେବ ବୋଲି ପୂର୍ବାନୁମାନ କରାଯାଇ ଛି।