କନକ ବ୍ୟୁରୋ : ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍ ଅଧିନରେ ଥିବା କମ୍ପାନୀଗୁଡିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଏଥିପାଇଁ କେବଳ ସାଧାରଣ ନିବେଶକ କ୍ଷତି ସହିନାହାଁନ୍ତି ବଂର ଏଲଆଇସି, ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ବଡ ବଡ ସଂସ୍ଥାଗତ ନିବେଶକ ଅବା ସରକାରୀ ସଂସ୍ଥାଗୁଡିକ ମଧ୍ୟ ବିପୁଳ ପରିମାଣରେ କ୍ଷତି ସହିଛନ୍ତି । ଏଲଆଇସି ଦୁଇ ଦିନରେ ୧୮ ହଜାର ୬୪୭ କୋଟି ଟଙ୍କା ହରାଇଛି ।

ସୂଚନା ମୁତାବକ, ଗତ ୨୪ ତାରିଖରେ ଏଲଆଇସିର ମୋଟ ବଜାରପୁଞ୍ଜୀ ୮୧ ହଜାର ୨୬୮ କୋଟି ଥିବା ବେଳେ ଗତ ୨୭ ତାରିଖ ସୁଦ୍ଧା ଏହା ୬୨ ହଜାର ୬୨୧ କୋଟ ଟଙ୍କାକୁ ଖସିଆସିଛି । ଆଦାନୀ ଏଂଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ପୋର୍ଟ୍ସ, ଆଦାନୀ ଟୋଟାଲ ଗ୍ୟାସ ସମେତ ଆଦାନୀ ଗ୍ରୁପର ଅନ୍ୟ କିଛି କମ୍ପାନୀର ୧୯ରୁ ୨୭ ପ୍ରତିଶତ ସେୟାର ହ୍ରାସ ପାଇଛି ।

ଆଦାଦୀ ଗ୍ରପ୍ ଷ୍ଟକ ଏକ୍ସଚେଞ୍ଜରେ ଜାଲିଆତି କରିଥିବା ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ କରିବା ପରେ ଗୌତମ ଆଦାନୀଙ୍କୁ ଚିନ୍ତା ଘାରିଛି । ଦୁଇ ଦିନରେ ସେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଆଦାନୀ ଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ବିଶ୍ୱ ଧନୀ ତାଲିକାର ତୃତୀୟ ସ୍ଥାନରୁ ସପ୍ତମ ସ୍ଥାନକୁ ଖସିଆସିଛନ୍ତି ଅଦାନୀ ।

ଆଦାନୀ ଗ୍ରୁପ୍‌ର କାରନାମା ସଂପର୍କରେ ଆମେରିକୀୟ ସଂସ୍ଥାର ରିପୋର୍ଟ ଆସିବା ପରେ ଭାରତର ଏଲ୍‌ଆଇସି ଏବଂ ଷ୍ଟେଟ ବ୍ୟାଙ୍କର ବଜାର ପୁଞ୍ଜି ଦୁଇଦିନରେ ୭୮ ହଜାର କୋଟି ଟଙ୍କାରୁ ଅଧିକ ଧୋଇଯାଇଛି । ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ସହିତ ସେବି, ଇଡି, ଏସଏଫଆଇଓ, ସିବିଆଇ ଆଦି ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିରବ ରହିଥିବାରୁ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି ।

କଂଗ୍ରେସର ସାଧାରଣ ସଂପାଦକ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଏଲ୍‌ଆଇସିରେ ଜନସାଧାରଣଙ୍କ ଅର୍ଥ ରହିଛି । ହିଣ୍ଡେନବର୍ଗ ରିପୋର୍ଟ ଆସବା ପରେ ଆଦାନୀ ଗ୍ରୁପରେ ଏଲ୍‌ଆଇସିର ସେୟାର ମୂଲ୍ୟ ୭୭ ହଜାର କୋଟି ଟଙ୍କାରୁ ୫୩ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି। ଏଥିଯୋଗୁ ୨୩୫୦୦ କୋଟି ଟଙ୍କା କ୍ଷତି ହୋଇଛି । ସେହିଭଳି ଏଲ୍‌ଆଇସିର ସେୟାର ମୂଲ୍ୟ ମଧ୍ୟ ୨୨୪୪୨ କୋଟି ଟଙ୍କା କମିଛି । ଏହାସତ୍ତ୍ବେ ଆଦାନୀ ଗ୍ରୁପରେ ଏଲ୍‌ଆଇସି କାହିଁକି ୩୦୦ କୋଟି ଟଙ୍କା ନିବଶେ କରିଛି ସେ ନେଇ ସୂର୍ଯ୍ୟେୱାଲା ପ୍ରଶ୍ନ ଉଠାଇଛନ୍ତି ।