କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଲିବ୍ୟାରେ ଡାନିୟଲ ତୁଫାନ ଓ ବନ୍ୟା ଭରଙ୍କର ପରିସ୍ଥିତି ସୃଷ୍ଟି କରିଛି । ଝଡରେ ୧୦ ହଜାର ଜନସଂଖ୍ୟା ବିଶିଷ୍ଠ ଡେର୍ନା ସହର ନିକଟରେ ଥିବା ଦୁଇଟି ଡ୍ୟାମ ଭାଙ୍ଗିଯିବା ଫଳରେ ପୁରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଏଭଳି ଝଡ ଓ ବନ୍ୟାରେ ଲିବ୍ୟାରେ ୫ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଗଣମାଧ୍ୟମ ରିପୋର୍ଟ ମୁତାବକ ୧୫ ହଜାର ଲୋକ ନିଖୋଜ ହୋଇଯାଇଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଯବାନଙ୍କ ମଧ୍ୟରୁ ମଧ୍ୟ ୧୨୩ ଜଣ ଯବାନଙ୍କ ଖୋଜ ଖବର ମିଳିନାହିଁ । ସେପଟେ ବିମାନବନ୍ଦରଗୁଡିକ ଭାଙ୍ଗିରୁଜି ଏଭଳି ଅବସ୍ଥାରେ ରହିଛି କି ସେଠାରୁ କୌଣସି ବିମାନ ଉଡାଣ ଭରିପାରୁନାହିଁ । ଏହି କାରଣରୁ ଅନ୍ୟ ଦେଶରୁ ସହାୟତା ପହଂଚିପାରୁନଥିବା କଥା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

Advertisment

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ ବନ୍ୟାଜଳରେ ଏବେ ବି ଶବ ଭାସୁଛି ଓ ଘର ଭିତରେ କିଛି ଶବ ପଚିଷଢି ଯାଇଛି । ଗଣମାଧ୍ୟମ ‘ଅଲ ଜଜିରା’ ରିପୋର୍ଟ ମୁତାବକ ବନ୍ଦର ସହର କୁହାଯାଉଥିବା ଡେର୍ନା ନିକଟରେ ଦୁଇଟି ଡ୍ୟାମ ଥିଲା । ଝଡ ତୋଫାନ କାରଣରୁ ଦୁଇଟି ଯାକ ଡ୍ୟାମ୍ ଭାଙ୍ଗିଯାଇଛି  । ସେପଟେ ୨୦୦୨ ପରଠାରୁ ଡ୍ୟାମ୍ ଦୁଇଟିର ରକ୍ଷଣା ବେକ୍ଷଣ କରାଯାଇନଥିବା କଥା ଏହି ଗଣମାଧ୍ୟମ ପ୍ରକାଶ କରିଛି ।

ସରକାରଙ୍କ କହିବା ମୁତାବକ ପ୍ରକୃତିର ଏଭଳି ତାଣ୍ଡବ ଏହା ପୂର୍ବରୁ ୧୯୫୯ ମସିହାରେ ଦେଖିବାକୁ ମିଳିଥିଲା । ସେତେବେଳେ ପଡୋଶୀ ଦେଶମାନେ ହାତଖୋଲି ସହାୟତା କରିଥିଲେ । ହେଲେ ଏବେ କୌଣସି ବିମାନବନ୍ଦର ବିମାନ ଉଡାଣ ଓ ଅବତରଣ ଉପଯୋଗୀ ନଥିବାରୁ ପଡୋଶୀ ଦେଶର ସହାୟତା ପହଂଚିପାରୁନାହିଁ ।

ଆଫ୍ରିକା ମହାଦେଶର ଉତ୍ତ ଭାଗରେ ୧୭.୬ ଲକ୍ଷ କିଲୋମିଟର ବ୍ୟାପୀ ଲିବ୍ୟା ଦେଶ । ଏହାର ରାଜଧାନୀ ତ୍ରିପୋଲୀ ଅଟେ । ଲିବ୍ୟାର ସୀମା ଭୂମଧ୍ୟସାଗର, ଟ୍ୟୁନିସିୟା, ଅଲ୍ଜିରିୟା, ନାଇଜର, ଚାଦ, ସୁଡାନ ଓ ମିଶର ବା ଇଜିପ୍ଟକୁ ଛୁଇଁଛି । ୠିବ୍ୟାର ମୋଟ ଜନସଂଖ୍ୟା ୬୭.୪ ଲକ୍ଷ । ୨୦୨୧ ମୁତାବକ ଲିବ୍ୟାର ଜିଡିପି ୨୩ ହଜାର କୋଟି । ଲିବ୍ୟାର ୯୫ ପ୍ରତିଶତ ରାଜସ୍ୱ ପେଟ୍ରୋଲିୟମରୁ ଆସିଥାଏ । ଯାହା ଦେଶର ଜିଡିପିର ୬୦ ପ୍ରତିଶତ ଅଟେ ।