କନକ ବ୍ୟୁରୋ : ସମନ୍ୱୟ ଶିଶୁ ବିକାଶ ଯୋଜନାରେ ସମ୍ବଲପୁରରେ ଆରମ୍ଭ ହୋଇଛି ଶିଶୁ ଲାଇବ୍ରେରୀ । ଅଙ୍ଗନୱାଡିର ବହି ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବହି ଉପଲବ୍ଧ ହୋଇଛି । କୋଭିଡ ସମୟରେ ସ୍କୁଲ ଖୋଲୁନଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଉଛି ଲାଇବ୍ରେରୀ ।

Advertisment

କରୋନା କାଳରେ ଶିଶୁଙ୍କ ପାଖରେ ଶିକ୍ଷା ପହଂଚିବା ପାଇଁ ସମ୍ବଲପୁରରେ ଆରମ୍ଭ ହୋଇଛି ଶିଶୁ ଲାଇବ୍ରେରୀ । ଦଲଦଲି ପଡା ଏକ ବସ୍ତି ଅଂଚଳ ହୋଇଥିବା ବେଳେ ଏଠାରେ ରହୁଥିବା ସବୁ ପରିବାର ପ୍ରାୟ ଶ୍ରମିକ ଶ୍ରେଣୀର । ଏହି ପଡାରେ ୩ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ବର୍ତମାନ ସେହି ୩ କେନ୍ଦ୍ରକୁ ମିଶାଇ ଗୋଟିଏ ଶିଶୁ ପାଠାଗାର ଗଠନ କରାଯାଇଛି । ଯାହାକୁ ନେଇ ଖୁସି ଅଛନ୍ତି ଉଭୟ ଶିଶୁ ଓ ତାଙ୍କ ଅଭିଭାବକ ।

କୁନି କୁନି ପିଲା ଅଭିଭାବକଙ୍କ ସାଥିରେ ଆସି ଲାଇବ୍ରେରୀରୁ ବହି ନେଇ ଘରେ ପଢିବା ସହ ପାଠାଗାରରେ ମଧ୍ୟ ବସି ପଢୁଛନ୍ତି । ଏହାର ପରିଚାଳନା ଦାୟିତ୍ୱ ଅଙ୍ଗନୱାଡି ସହାୟିକାଙ୍କୁ ଦିଆଯାଇଛି । ଲାଇବ୍ରେରୀରେ ଥିବା ବହି ଗୁଡିକ କିଛି ସହହୃଦୟ ବ୍ୟକ୍ତି ଓ କିଛି ଅନୁଷ୍ଠାନ ପକ୍ଷରୁ ଦାନ ଆକାରରେ ମିଳିଛି । ବର୍ତମାନ ଶିଶୁଙ୍କ ଠାରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ବହି ରହିଛି । ଆଗକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହି ରଖିବାକୁ ଯୋଜନା ରହିଛି । ତେବେ ସମ୍ବଲପୁରର ଏହି ଶିଶୁ ଲାଇବ୍ରେରୀ, କରୋନା କାଳରେ ପାଠପଢାର ମୁଖ୍ୟ ମାଧ୍ୟମ ପାଲଟିଛି ।