ଇଂଲଣ୍ଡ ଦଳ ଛାଡିଲେ ୨୦୧୯ ବିଶ୍ୱକପ ହିରୋ । ଏବେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହ ଖେଳିବେ କ୍ରିକେଟ ।

1,508

କନକ ବ୍ୟୁରୋ  : ବିଶ୍ୱବିଜୟୀ ଇଂଲଣ୍ଡ ଟିମକୁ ବାଏ ବାଏ କଲେ ଦଳର ଷ୍ଟାର ଖେଳାଳୀ ଲିଆମ ପ୍ଲଂକେଟ । କେବଳ ଦଳ ନୁହେଁ ବରଂ ପୂରା ଦେଶ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଇଂଲଣ୍ଡ କ୍ରିକେଟ ଦଳର ହାତ ସିନା ଛାଡିଛନ୍ତି କିନ୍ତୁ କ୍ରିକେଟ ଖେଳିବା ଜାରି ରଖିବେ ପ୍ଲଂକେଟ । ଇଂଲଣ୍ଡର ଏହି ଖେଳାଳୀ  ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଆମେରିକା ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟରେ ପ୍ଲଂକେଟ କିଛି ଭାରତୀୟଙ୍କ ସହ ଖେଳିବେ । କାରଣ ଏହି ଲିଗରେ ଭାରତୀୟ ଅଣ୍ଡର-୧୯ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଖେଳିବେ । ଉନ୍ମୁକ୍ତ ଚାନ୍ଦ ମଧ୍ୟ ୧୯ ବର୍ଷରୁ କମ ଭାରତୀୟ ଦଳକୁ ବିଶ୍ୱବିଜୟୀ କରାଇଛନ୍ତି । ଗତ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ଉନ୍ମୁକ୍ତ ଚାନ୍ଦ ।

ଏହାଛଡା ପ୍ଲଂକେଟଙ୍କ ଆମେରିକା ଯିବା ପଛର ଆଉ ଏକ ବଡ କାରଣ ହେଉଛନ୍ତି ତାଙ୍କ ପତ୍ନୀ । ପ୍ଲଂକେଟଙ୍କ ପତ୍ନୀ ଆମେରିକାର ବାସିନ୍ଦା । ତେଣୁ ଆମେରିକାରରେ ଜୀବନ ଅତିବାହିତ କରିବାକୁ ହୁଏତ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ପ୍ଲଂକେଟ । ଇଂଲଣ୍ଡ ପକ୍ଷରୁ ପ୍ଲଂକେଟ ୮୯ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୨୦୧୯ ବିଶ୍ୱକପ ଫାଇନାଲ ମ୍ୟାଚ୍ ମଧ୍ୟ ରହିଛି । ଆଉ ଏହି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ୱିକେଟ ହାସଲ କରି ଇଂଲଣ୍ଡକୁ ବିଶ୍ୱବିଜୟୀ କରିବାରେ ବଡ ଭୂମିକା ଗ୍ରହଣ କରିଥିଲେ ।

୨୦୧୯ ବିଶ୍ୱକପରେ ପ୍ଲଂକେଟ ୭ଟି ମ୍ୟାଚ୍ ଖେଳିଥିବା ବେଳେ ଇଂଲଣ୍ଡ ୭ଟି ଯାକ ମ୍ୟାଚରେ ବିଜୟୀ ହୋଇଥିଲା । ପୂରା ବିଶ୍ୱକପରେ ପ୍ଲଂକେଟ ୧୧ଟି ୱିକେଟ ହାସଲ କରିଥିଲେ । ତେବେ ଇଂଲଣ୍ଡକୁ ବାଏ ବାଏ କରିବା ପରେ ପ୍ଲଂକେଟ ନିଜ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବା ପରେ ଏବେ ଆମେରିକାରେ ଲିଗ୍ ମ୍ୟାଚ୍ ଖେଳିବା ସହ କୋଚିଂ କ୍ୟାରିୟର ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ପ୍ଲଂକେଟ । ତେବେ ଆମେରିକା ଟିମରେ ସ୍ଥାନ ପାଇବାକୁ ହେଲେ ପ୍ଲଂକେଟଙ୍କୁ ପ୍ରଥମେ ୩ ବର୍ଷର ଆମେରିକୀୟ ନାଗରିକତା ଅବଧିକୁ ପୂରା କରିବାକୁ ହେବ । ଆଉ ଏହାପରେ ଆମେରିକୀୟ ନାଗରିକ ଭାବେ ପ୍ଲଂକେଟଙ୍କୁ ଆମେରିକା କ୍ରିକେଟ ଦଳରେ ସାମିଲ କରାଯାଇପାରେ ।