ମଦୁଆ ଚାଳକଙ୍କୁ ଟ୍ରାଫିକ୍ ଛାଟ ! ନୂଆବର୍ଷରେ ୩୫୨ ଜଣ ମଦ୍ୟପ ଗାଡି ଚାଳକଙ୍କ ନାଁରେ ଚାଲାଣ କାଟିଲା ଦିଲ୍ଲୀ ଟ୍ରାଫିକ୍ ପୋଲିସ ।

151

କନକ ବ୍ୟୁରୋ : ନୂଆବର୍ଷ କାହା ପାଇଁ ରଂଗିନ ହୋଇଛି ତ ପୁଣି କାହାକୁ ପଡ଼ିଛି ଟ୍ରାଫିକ୍‌ ପୁଲିସ୍‌ ଛାଟ । ମଦ ପିଇ ନୂଆବର୍ଷ ପାଳନ କରିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ଟ୍ରେଣ୍ଡ୍‌ ପାଲଟିଥିବା ବେଳେ ଏପଟେ ମଦୁଆ ଚାଳକଙ୍କୁ ସାବାଡ଼ କରିବାକୁ ସକ୍ରିୟ ‌ହୋଇଛି ଦିଲ୍ଲୀ ପୁଲିସ୍‌ ।

ଜାତୀୟ ରାଜଧାନୀରେ ନୂଆବର୍ଷରେ ୩୫୨ ମଦ୍ୟପ ଗାଡ଼ି ଚାଳକଙ୍କ ନାଁରେ ଚାଲାଣ କାଟିଛି ଦିଲ୍ଲୀ ଟ୍ରାଫିକ୍ ପୁଲିସ୍‌ । ତେବେ, ନୂଆବର୍ଷ ସମୟରେ ମଦ୍ୟପଙ୍କ ନାମରେ ଚାଲାଣ କଟିବା  ନୂଆ କଥା ନୁହେଁ, ପୂର୍ବରୁ ବି ନୂଆବର୍ଷ ସମୟରେ ମଦ୍ୟପଙ୍କୁ ପୁଲିସ୍‌ ଟାର୍ଗେଟ କରି ଚାଲାଣ କାଟିଥାଏ ।

୨୦୧୮ ମସିହାରେ ଦିଲ୍ଲୀ ପୁଲିସ୍‌ ୫୦୯ ଜଣ ମଦ୍ୟପ ଗାଡ଼ି ଚାଳକଙ୍କ ନାଁରେ ଚାଲାଣ କାଟିଥିବା ବେଳେ ୨୦୧୭ରେ ୫୪୩ ଗାଡ଼ି ଚାଳକ ଓ ୨୨୨ ଗାଡ଼ି ମାଲିକଙ୍କ ନାମରେ ଚାଲାଣ କାଟିଥିଲା । ଏଥିରୁ ସ୍ପଷ୍ଟ ଯେ ଏଥର ନୂଆ ବର୍ଷରେ ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା କମିଛି । ନୂଆବର୍ଷରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ପ୍ରମୁଖ ସ୍ଥାନମାନଙ୍କରେ ପୁଲିସ୍‌ ମୁତୟନ‌ ହୋଇଛନ୍ତି ।

ଉଲ୍ଳେଖଯୋଗ୍ୟ, ‌୨୦୧୯ ସେପ୍ଟେମ୍ବର  ମାସ ୧ ତରିଖରେ ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ସମଗ୍ର ଦେଶରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଏହି ଆଇନ୍‌ ମୁତାବକ ଟ୍ରାଫିକ୍‌ ନିୟମ ଉଲ୍ଳଂଘନକାରୀମାନେ ପୂର୍ବରୁ ମୋଟା ରକମର ଜରିମାନା ବି ଦେଇ ସାରିଛନ୍ତି । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ବି ଉପୁଜିଛି ।