କେରଳ ପରେ ତାମିଲନାଡୁ ବିଧାନସଭାରେ ହୋଇପାରେ କୃଷି କାନୁନ୍ ବିରୋଧରେ ପ୍ରସ୍ତାବ ପାରିତ । ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କ ନିକଟରେ ଦାବି କଲେ ଷ୍ଟାଲିନ୍ । କହିଲେ ଅନ୍ନଦାତାଙ୍କ ସପକ୍ଷରେ ଛିଡା ହୁଅନ୍ତୁ ସମସ୍ତ ବିରୋଧୀ ଦଳ

83

କନକ ବ୍ୟୁରୋ : ତାମିଲନାଡୁ ବିଧାନସଭାର ମୁଖ୍ୟ ବିରୋଧୀଦଳ ଡି.ଏମ୍.କେ ମୁଖ୍ୟ ଏମ.କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପାଲାନୀ ସ୍ୱାମୀଙ୍କୁ ଚିଠି ଲେଖି କୃଷି କାନୁନ ବିରୋଧରେ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ପ୍ରସ୍ତାବ ପାରିତ କରିବାକୁ ଦାବି କରିଛନ୍ତି । ଷ୍ଟାଲିନ କହିଛନ୍ତି କି ଦେଶର ପ୍ରଥମ ରାଜ୍ୟ ଭାବେ ତାମିଲନାଡୁ ରାଜ୍ୟର କୃଷକ ମାନଙ୍କ ଋଣ ଛାଡ କରିବା ସହ ମାଗଣା ବିଜୁଳି ଯୋଗାଇ ଦେଉଛି । ତେଣୁ ସମୟ ଆସିଛି କି ରାଜ୍ୟସରକାର କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ କୃଷକ ବିରୋଧି କୃଷି ଆଇନ ବିରୋଧରେ ଏକଜୁଟ୍ ହୋଇ କୃଷି କାନୁନ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରିବା ।

ଷ୍ଟାଲିନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ରାଜ୍ୟର ସମସ୍ତ ରାଜନୈତିକ ଦଳ ରାଜ୍ୟର କୃଷକ ମାନଙ୍କ ହିତରେ ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ବିଧାନସଭାରେ କୃଷିବିଲ୍ ବିରୋଧରେ ସଂକଳ୍ପ ପାରିତ କରିବା । ଏହାସହ ସେ କେରଳର ଉଦାହରଣ ଦେଇ ଲେଖିଛନ୍ତି କି ଦେଶର ପ୍ରଥମରାଜ୍ୟ ଭାବେ କେନ୍ଦ୍ରସରକାରଙ୍କ ବିରୋଧରେ ପ୍ରସ୍ତାବ ଆଣିବାକୁ ସାହସ କରିଥିବା ବେଳେ ପଂଜାବ ସରକାର ବି ଏନେଇ ସଂକଳ୍ପ ପାରିତ କରିସାରିଛନ୍ତି ।

କହିରଖୁ କି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଡିଏମକେ ଓ ତାଙ୍କର ସହଯୋଗୀ ଦଳମାନେ ଡିସେମ୍ବର ୧୮ ତାରିଖ ଦିନ ଚେନ୍ନାଇ ଠାରେ ଗୋଟିଏ ଦିନ ପାଇଁ ଉପବାସ ଅନଶନ କରିଥିଲେ । ସୂଚନା ଥାଉକି କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ ଟି କୃଷିବିଲକୁ ବିରୋଧ କରି ଦେଶର କୃଷକ ମାନେ ନଭେମ୍ବର ୨୬ ତାରିଖ ଠାରୁ ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣା ଦେଇଛନ୍ତି । ଏହାରି ମଧ୍ୟରେ ୪୫ ଜଣ କୃଷକ ଆନ୍ଦୋଳନ ସ୍ଥଳରେ ପ୍ରାଣ ହରାଇଛନ୍ତି । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ୬ ଥର ବୈଠକ ବସି ସାରିଥିଲେ ବି ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରି ନାହିଁ । ଗୋଟିଏ ପଟେ ସରକାର ତାଙ୍କ ଜିଦରେ ଅଟଳ ରହିଥିବା ବେଳେ ଆନ୍ଦୋଳନରତ କୃଷକ ମାନେ କହିଛନ୍ତି କି ସରକାର ସମ୍ପୁର୍ଣ୍ଣ ବିଲ୍ ପ୍ରତ୍ୟାହାର ନକରିବାଯାଏଁ ଆନ୍ଦୋଳନ ଜାରି ରହିବ ।