ଭାଇରାଲ ଚିଠିକୁ ନେଇ ବଢ଼ିଲା କଂଗ୍ରେସରେ କନ୍ଦଳ । ମିଡିଆ ସେଲ୍ ଅଧ୍ୟକ୍ଷ ପଦରୁ ସତ୍ୟ ନାୟକଙ୍କୁ ହଟାଇ ପଂଚାନନ କାନୁନଗୋଙ୍କୁ କରାଯିବା ନେଇ ଚିଠିରେ ଉଲ୍ଲେଖ । ପିସିସି ସଭାପତି କହିଲେ, ସତ ନୁହେଁ ଭାଇରାଲ ଚିଠି

ଦଳୀୟ ପଦବୀରୁ ସତ୍ୟ ନାୟକ ଇସ୍ତଫା ଦେଇଥିବା ଚର୍ଚ୍ଚା

327

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚିଠିକୁ ନେଇ କଂଗ୍ରେସରେ ଝଡ଼ । ଏହି ଚିଠିରେ ଦଳର ମିଡିଆ ସେଲ ଅଧ୍ୟକ୍ଷ ପାଇଁ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ନାଁ ସୁପାରିଶ କରାଯାଇଛି । ନୂଆ ତାଲିକାରେ ସତ୍ୟ ପ୍ରକାଶ ନାୟକଙ୍କୁ ରିସୋର୍ସ ପର୍ସନ ଭାବେ ରଖାଯାଇଛି ।  ତେବେ ସୋସିଆଲ ମିଡିଆରେ ଏହି ଚିଠି ଘୁରିବୁଲିବା ପରେ ଦଳ ମଧ୍ୟରେ ହଲଚଲ ଆରମ୍ଭ ହୋଇଛି । ଏପରିକି ଦଳୀୟ ପଦ ପଦବୀରୁ ସତ୍ୟ ନାୟକ ଇସ୍ତଫା ଦେଇଥିବା କୁହାଯାଉଛି । ଏ ନେଇ ସତ୍ୟ ନାୟକଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ଭାଇରାଲ ହୋଇଥିବା ଚିଠି ସତ ନୁହେଁ ।

ତେବେ ଭାଇରାଲ ହୋଇଥିବା ଦୁଇଟି ଚିଠି ଉପରେ ନଜର ପକାନ୍ତୁ । ଗୋଟିଏ ଚିଠି, କଂଗ୍ରେସର ମିଡିଆ ସେଲକୁ ନେଇ, ଯେଉଁଥିରେ ମିଡିଆ ସେଲର ଅଧ୍ୟକ୍ଷ ପଦରେ ପଂଚାନନ କାନୁନଗୋଙ୍କ ନାଁକୁ ସୁପାରିଶ କରିଛନ୍ତି ପିସିସି ସଭାପତି । ଆଉ ଚିଠିଟି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପାଖକୁ ଲେଖାଯାଇଛି । ଭାଇରାଲ୍ ହୋଇଥିବା ଅନ୍ୟ ଚିଠିଟି ଦଳୀୟ ଶୃଙ୍ଖଳା କମିଟିକୁ ନେଇ । ଯେଉଁଥିରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଭାବେ ଧରଣୀଧର ନାୟକଙ୍କ ନାଁ ରହିଛି । ଆବାହକ ଭାବେ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନାଁକୁ ସୁପାରିଶ କରାଯାଇଛି ।

ଦଳୀୟ ପଦପଦବୀଙ୍କୁ ନେଇ ଦୁଇଟି ଚିଠି ଭାଇରାଲ ହେବା ପରେ ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଚିଠିରେ ଯେଉଁମାନଙ୍କ ନାଁ ନାହିଁ କିମ୍ବା ଯେଉଁମାନଙ୍କର ଦାୟିତ୍ୱ ପୂର୍ବାପେକ୍ଷା ଗୌଣ ହୋଇଥିବା ଉଲ୍ଲେଖ ରହିଛି, ସେମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ଗଣମାଧ୍ୟମ ଆଗରେ ମୁହଁ ବନ୍ଦ ରଖିବାକୁ ପିସିସି ସଭାପତି ତାଗିଦ କରିଛନ୍ତି । ନେତାଙ୍କ ମନଇଚ୍ଛା ବୟାନବାଜି ଯୋଗୁଁ ଦଳୀୟ ଭାବମୂର୍ତି କ୍ଷୁର୍ଣ୍ଣ ହେଉଥିବା କହିଛନ୍ତି ନିରଂଜନ ।