ପୋଖରୀରୁ ମିଳିଲା ବସ୍ତାବସ୍ତା ଚିଠି ଓ ଆଧାରକାର୍ଡ ! ସୋନପୁର ଦିଗସରାର ପୂର୍ବତନ ପୋଷ୍ଟମାଷ୍ଟର ଅଟକ

38

କନକ ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା ବସ୍ତା ଭର୍ତି ପୁରୁଣା ଚିଠି । କେବଳ ଏତିକି ନୁହେଁ ୫ବର୍ଷ ପୁରୁଣା ଏଟିଏମ କାର୍ଡ, ନିଯୁକ୍ତି ପତ୍ର, କିଶାନ ବିକାଶ ପତ୍ର, ଆଧାର କାର୍ଡ ଓ ଏଡମିଟ କାର୍ଡ ଜବତ ରଖାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକର ଦିଗସିରା ଗାଁ ପୋଖରୀରୁ ଏହି ସବୁ ଉଦ୍ଧାର କରାଯାଇଛି । ପୋଖରୀର ମାଟି ଖୋଳୁଥିବାବେଳେ ମାଟି ତଳୁ ଦୁଇ ବର୍ଷ ପୁରୁଣା ଚିଠି ପତ୍ର ବାହାରିଥିଲା । ତେବେ କିଏ କେଉଁ ପରିସ୍ଥିତିରେ ଏହାକୁ ପୋଖରୀରେ ପୋତି ଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏନେଇ ଗାଁଲୋକେ ଡୁଙ୍ଗୁରୀପାଲି ପୁଲିସକୁ ଖବର ଦେବା ପରେ ଚିଠିପତ୍ର ସବୁ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି ପୁଲିସ । ଘଟଣା ସମ୍ପର୍କରେ ଦିଗସିରା ପୋଷ୍ଟ ଅଫିସର ପୂର୍ବତନ ପୋଷ୍ଟ ମାଷ୍ଟର ଖଗେଶ୍ୱର ରଣାଙ୍କୁ ପଚରାଉଚରା କରୁଛି ପୁଲିସ । ଗତ ତିନି ମାସ ତଳେ ଖଗେଶ୍ୱର ରଣା ପୋଷ୍ଟ ମାଷ୍ଟର ପଦରୁ ଅବସରନେଇଛନ୍ତି । ଖଗେଶ୍ୱର ଅବସର ନେବା ପୂର୍ବରୁ ଦୀର୍ଘ ଦିନ ଧରି ଚିଠି ପତ୍ର ବାଂଟିବା ପରିବର୍ତେ ତାକୁ ପୋଖରୀରେ ପୋତି ଦେଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । କେବେଠୁ ଲୋକଙ୍କୁ ଚିଠି ପତ୍ର ବଂଟା ଯାଉନଥିଲା ଏବଂ କେଉଁ କେଉଁ ଗାଁର ଲୋକେ ଚିଠିପତ୍ର ପାଇନାହାନ୍ତି ସେ ନେଇ ପୁଲିସ ତଦନ୍ତ କରୁଛି ।