ସୀମାକୁ ନେଇ ଭାରତ ସହିତ ନେପାଳ ଖେଳିଲା ଚାଲ : ପାଠ୍ୟପୁସ୍ତକରେ ଉତରାଖଣ୍ଡ ପିଥୋରାଗଡକୁ ଦେଖାଇଲା ନିଜର ଅଂଶ; ବିବାଦୀୟ ମ୍ୟାପକୁ ନେଇ ଭାରତର ବିରୋଧ

370

କନକ ବ୍ୟୁରୋ : ସୀମାକୁ ନେଇ ପୁଣି ଚାଲ୍ ଖେଳିଛି ନେପାଳ । ଚୀନ୍ ସହିତ ପୂର୍ବ ଲଦାଖରେ ବିବାଦ ଚାଲିଥିବା ବେଳେ ଉତରାଖଣ୍ଡର ପିଥୋରାଗଡକୁ ନିଜର ବୋଲି ଦର୍ଶାଇ ନୂଆ ବିବାଦ ସୃଷ୍ଟି କରିଛି ନେପାଳ । ବର୍ତମାନ ଏହି ଅଂଶ ନେପାଳରେ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି । ୩ ମାସ ତଳେ ନେପାଳ ସରକାର ଏକ ନୂଆ ମାନଚିତ୍ରକୁ ମଂଜୁରୀ ଦେଇଥିଲେ । ସେଥିରେ ଲିପୁଲେଖ, କାଲାପାନି ପରି ଭାରତର ଅଂଶକୁ ନିଜର ବୋଲି ଦାବି କରିଥିଲା ନେପାଳ । ଏବେ ପାଠ୍ୟକ୍ରମ ପୁସ୍ତକରେ ଏହାକୁ ସ୍ଥାନିତ କରି ବିବାଦକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି ନେପାଳ ।

ନେପାଳର ଶିକ୍ଷାମନ୍ତ୍ରୀ ଗିରିରାଜ ମଣି ପୋଖରଲେ ମଧ୍ୟ ପାଠ୍ୟପୁସ୍ତକରେ ପିଥୋରାଗଡକୁ ସ୍ଥାନ ମିଳିଥିବା ନେଇ ସୂଚନା ଦେଇଛନ୍ତି । ନେପାଳର ଭୂଗୋଳ ଏବଂ ଆଂଚଳିକ ସୀମା ପୁସ୍ତକରେ ଏପରି ତଥ୍ୟ ସ୍ଥାନ ପାଇଛି । ଏହି ପୁସ୍ତକରେ ଉତରପ୍ରଦେଶର କାଲାପାନିର ବିବାଦୀୟ ଅଂଚଳ ବି ନେପାଳର ବୋଲି ସ୍ଥାନ ପାଇଛି । ନେପାଳର ଭୌଗଳିକ ପରିସୀମା ହେଉଛି ୧ ଲକ୍ଷ ୪୭ ହଜାର ୬୪୧ ଦଶମିକ ୨୮ ବର୍ଗ କିଲୋମିଟର । ସେଥିମଧ୍ୟରୁ କାଲପାନି ଅଂଚଳ ହେଉଛି ୪୬୦ ବର୍ଗ କିଲୋମିଟର ।

ନେପାଳର ନୂଆ ମାନଚିତ୍ରକୁ ଟଙ୍କିକିଆ ଏବଂ ଦୁଇ ଟଙ୍କିଆ ମୁଦ୍ରାରେ ଛାପିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କେପି ଓଲି ଅନୁମତି ଦେଇଛନ୍ତି । ଗତବର୍ଷ ନଭେମ୍ୱରରେ ପ୍ରଥମ କରି ପିଥୋରାଗଡ ଅଂଚଳର ଲିପୁଲେଖ ଠାରେ ଏକ ରାସ୍ତାର ଉଦଘାଟନର ବିରୋଧ କରିଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏବେ ନେପାଳ ସେହି ଅଂଶକୁ ମାନଚିତ୍ରରେ ନିଜର ବୋଲି ଦର୍ଶାଇବା ପରେ ପାଠ୍ୟପୁସ୍ତକରେ ମଧ୍ୟ ସ୍ଥାନ ଦେଇଛି ।