ପୁରୀ ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ନିୟମ ପରିସରରେ ହେଉ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ।

102

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଜେପି ନେତା ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିୟମ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ ଏବଂ କେନ୍ଦ୍ର ସରକାରଙ୍କୁ ନିୟମ ମାନନ୍ତୁ ରାଜ୍ୟ ସରକାର । ଏହାପରେ ସାଂସଦ ଅପରାଜିତା ଷଡଙ୍ଗୀ ବି ପ୍ରତିକ୍ରିୟା ରଖି କହିଛନ୍ତି, ଜଗନ୍ନାଥ ମନ୍ଦିରର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ।

ବିଳମ୍ବରେ ହେଲେ ବି ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଶ୍ରୀମନ୍ଦିର ପାଶ୍ୱବର୍ତ୍ତୀ ଅଞ୍ଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ କୀର୍ତ୍ତିରାଜି ମିଳୁଛି, ସେ ସେବୁ ଅଣଦେଖା କରି ପରିକ୍ରମା ଯୋଜନାର ଆଧୁନିକୀରଣ କହିବା ଉଚିତ ନୁହେଁ । ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ । ମଠ ଓ ମନ୍ଦିରର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ଅଛି । ରାଜ୍ୟ ସରକାର ଏହାକୁ ପାଳନ କରିବା ଉଚିତ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ କାହାର ଆପତ୍ତି ନାହିଁ କିନ୍ତୁ ଗତ କିଛି ଦିନ ମଧ୍ୟରେ ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ବିଜେପିରେ ନାନା ମୁନିଙ୍କ ନାନା ମତ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପୁରୀ ବିଧାୟକଙ୍କ ପ୍ରକଳ୍ପକୁ ସମର୍ଥନ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀଙ୍କ ବୟାନ ଓ ଏବେ ଧର୍ମେନ୍ଦ୍ରଙ୍କ ବିବୃତି ଦଳର ପ୍ରକୃତ ଆଭିମୁଖ୍ୟ ଉପରେ ବଡ ପ୍ରଶ୍ନ କରୁଛି । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ବୟାନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବି ଟ୍ୱିଟ୍ କରି କହିଛନ୍ତି, ଜାତୀୟ ସ୍ମାରକୀ ପ୍ରାଧୀକରଣ ମନ୍ଦିର ପ୍ରଶାସନକୁ ଅଫିସ ନିର୍ମାଣ ଯୋଜନାର ପରିବର୍ତ୍ତିତ ପ୍ଲାନ ଦାଖଲ କରିବାକୁ କହିଛନ୍ତି । ଏହି ଅଫିସ ଗୃହ ୨୦୦ ମିଟର ଭିତରେ ହୋଇଥାନ୍ତା । ଏହି ନିୟମକୁ ପାଳନ କରିବାକୁ ପଡିବ । ଜଗନ୍ନାଥ ମନ୍ଦିରର ସୁରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ।

ଏହା ଭିତରେ ପ୍ରଶ୍ନ ଉଠୁଛି ବିଜେପିର ବିଭିନ୍ନ ନେତାଙ୍କ ଭିନ୍ନ ବୟାନ କଣ ଇସାରା କରୁଛି । ମଙ୍ଗଳବାର ପୁରୀରେ ଜଗନ୍ନାଥଙ୍କ ମୂର୍ତ୍ତି ଧରି ସରକାରଙ୍କ ବିରୋଧରେ ଗର୍ଜିଥିଲେ । କିନ୍ତୁ ଭୁବନେଶ୍ୱରରେ ଏ ନେଇ ପ୍ରଶ୍ନରେ ସେ ଚୁପ ରହିଥିଲେ । ତେବେ ବିଜେପିର ରାଜ୍ୟ ନେତା ବି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଏପରିକି ପୁରୀ ବିଧାୟକ ଜୟନ୍ତୀ ଷଡଙ୍ଗୀ ବିକାଶ କାମକୁ ସମର୍ଥନ କରୁଥିବା କହିଥିଲେ । ତେଣୁ ଏହି ପ୍ରସଙ୍ଗରେ ବିଜେପିର କଣ ଆଭିମୁଖ୍ୟ ରହିଛି ଏହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।