ମାସେ ନ ପୁରୁଣୁ ବ୍ରିଜର ରାସ୍ତା ଫାଟି ଆଁ : ପିପିଲି-ଡେଲାଙ୍ଗ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଲୁଣାସେତୁ ନିକଟରେ ନିମ୍ନମାନର କାମ ଅଭିଯୋଗ; ଉପୁଡିଗଲାଣି ଖୁଂଟ

137

କନକ ବ୍ୟୁରୋ : ମାସେ ପୁରିନି ନୂଆ ତିଆରି ହୋଇଥିବା ବ୍ରିଜର ରାସ୍ତା ଫାଟି ଆଁ କଲାଣି । ହାଟ ଲେଡାଙ୍ଗ ଠାରୁ ପିପିଲି ଡେଲାଙ୍ଗ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଲୁଣା ସେତୁରେ ଦେଖିବାକୁ ମିଳିଛି ଏପରି ନିମ୍ନ ମାନର କାମ । ଏହି ରାସ୍ତା ଓ ପୋଲ ଉପରେ ଆଖପାଖ ପାଂଚଟି ପଂଚାୟତର ଲୋକେ ନିର୍ଭର କରନ୍ତି । ପୋଲକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣର ମାସେ ବି ପୁରିନି । ରାସ୍ତା ଫାଟି ଆଁ କଲାଣି । କଂକ୍ରିଟ୍ ନଦେଇ କେବଳ ମାଟିରେ ପୋତା ଯାଇଥିବା ସୁରକ୍ଷା ଖୁଂଟ ବି ଉପୁଡି ପଡିଛି । ଅଳ୍ପ ବର୍ଷାରେ ବି ରାସ୍ତାରୁ ମୋରମ ଧୋଇ ଗଲାଣି ।

ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଲୋକେ ଏପରି ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସେପଟେ ଏପରି କୌଣସି ଅଭିଯୋଗ ଆସିନି । ଲୁଣା ସେତୁର ନିର୍ମାଣ ନେଇ ଅଭିଯୋଗ ଆସିଲେ ତଦନ୍ତ କରି ଠିକାଦାରଙ୍କ ବିରୋଧରେ ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି ଡେଲାଙ୍ଗ ବିଡିଓ ।