ଓଡ଼ିଶାରେ କମୁଛନ୍ତି କଲରାପତରିଆ ବାଘ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏନଟିସିଏ ରିପୋର୍ଟ ।

52

କନକ ବ୍ୟୁରୋ: ଓଡ଼ିଶାରେ କମୁଛି କଲରାପତରିଆ ବାଘଙ୍କ ସଂଖ୍ୟା । ଚିନ୍ତା ବଢ଼ାଇଲା ଏନଟିସିଏ ବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ରିପୋର୍ଟ । ୨୦୧୮ ତୁଳନାରେ ୨୦୨୨ରେ କଲରାପତରିଆଙ୍କ ସଂଖ୍ୟା କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ହୋଇଛି । ୨୦୧୮ରେ ରାଜ୍ୟରେ ଯେଉଁଠୀ ୭୬୦ଟି କଲରାପତରିଆ ବାଘ ଥିଲେ, ୨୦୨୨ରେ ଏହି ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଅର୍ଥାତ୍ ୪ ବର୍ଷ ଭିତରେ ୧୯୨ଟି କଲରାପତରିଆ ବାଘ ଉଭାନ ହୋଇଯାଇଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।

ଅନ୍ୟପଟେ ସାରା ଦେଶରେ କିନ୍ତୁ କଲରାପତରିଆ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୮ରେ ଦେଶରେ ୧୨ହଜାର ୮୫୨ଟି କଲରାପତରିଆ ଥିବା ବେଳେ ୨୦୨୨ରେ ଏହା ୧୩ହଜାର ୮୭୪କୁ ବୃଦ୍ଧି ପାଇଛି । ଦେଶରେ ସର୍ବାଧିକ କଲରାପତରିଆ ମଧ୍ୟପ୍ରଦେଶରେ ଅଛନ୍ତି । ସେଠାରେ ୩ହଜାର ୯୦୭ଟି କଲରାପତରିଆ ରହିଛନ୍ତି । ଏହା ପରକୁ ମହାରାଷ୍ଟ୍ରରେ ୧ହଜାର ୯୮୫, କର୍ଣ୍ଣାଟକରେ ୧ହଜାର ୮୭୯ ଏବଂ ତାମିଲନାଡୁରେ ୧ହଜାର ୭୦ଟି କଲରାପତରିଆ ରହିଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶରେ ସର୍ବନମ୍ନ ୪୨ଟି କଲରାପତରିଆ ବାଘ ରହିଛନ୍ତି । ତେବେ ମିଜୋରାମ ଓ ନାଗାଲାଣ୍ଡରେ କଲରାପତରିଆ ନଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।