କନକ ବ୍ୟୁରୋ: ବାଘ ବୁଲୁଛି ରାଜଧାନୀରେ । ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ରାତିରେ ଜନବସତି ଅଂଚଳରେ ଏହି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବାଘଟି ବିମାନବନ୍ଦର ନିକଟରେ ଥିବା ରିଲାନ୍ସ ଆଭିଏସନ ପାଖ ଜଙ୍ଗଲରେ ଥିବା ନେଇ ଭବନେଶ୍ୱର ରେଂଜ ଇନଚାର୍ଜ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।
ରାଜଧାନୀରେ ବାଘ ! ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଆତଙ୍କ, ସିସିଟିଭିରେ କଏଦ ହେଲା ଦୃଶ୍ୟ । https://t.co/VNYFztFgw6pic.twitter.com/FT5BRV7Kac
— Kanak News (@kanak_news) February 18, 2019
ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା ସେ କହିଛନ୍ତି । ସ୍ଥାନୀୟ ଅଂଚଳରେ ଏବେ ଚାଂଚଲ୍ୟ ଖେଳିଯାଇଛି । ତେବେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ରା୍ତି ସାରା ସେହି ଅଂଚଳରେ ପାଟ୍ରୋଲିଂ କରିଛି ବନ ବିଭାଗର ଟିମ୍ । ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ରାତିସାରା ଅନିଦ୍ରା ରହି ବାଘ ଖୋଜିଛନ୍ତି । ବନ ବିଭାଗର ୩ଟି ଟିମ୍ ଓ ନନ୍ଦନକାନନର ଗୋଟିଏ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।
ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏ ନେଇ ଭିନ୍ନ ଭିନ୍ନ କଥା ମଧ୍ୟ ଶୁଣିବାକୁ ମିଳୁଛି । ଯେଉଁ ଅଂଚଳରୁ ଏହି ଚିତ୍ର ଆସିଛି, ସେହି ଅଂଚଳରେ ଲୋକ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତ ବର୍ଷ ସୁନ୍ଦରପଦା ଓରକଳ ଅଞ୍ଚଳରେ ନଈକୂଳରେ ସ୍ଥାନୀୟ ଲୋକେ ଏକ ବାଘକୁ ଦେଖିଥିଲେ। କ୍ୟାମେରାରେ ତା’ର ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ ଦୂରୁ ତାହା ଖୁବ୍ ଛୋଟ ଦେଖାଯାଇଥିବାରୁ ସେତେବେଳେ ଏହାକୁ ଏକ ବଣଭୁଅାଁ ବୋଲି ବନ ବିଭାଗ ସଫେଇ ଦେଇଥିଲା। ମାତ୍ର ଆଜିର ଘଟଣା ପରେ କିଛି ବନ କର୍ମଚାରୀ ସେହି ବନ୍ୟ ଜନ୍ତୁଟିକୁ ସତ ବାଘ ବୋଲି ଅନୁମାନ କରୁଛନ୍ତି। ତେଣୁ ବନ ବିଭାଗ ତନ୍ନ ତନ୍ନ କରି ଖୋଜିଲେ, ନିଶ୍ଚୟ ବାଘ ଠାବ ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି।