ପାରମ୍ପାରିକ ମକା ଚାଷ ଛାଡି ଯୁବକ କରୁଛନ୍ତି ଲେମନ ଗ୍ରାସ , ଜାଣନ୍ତୁ ଏକର ପ୍ରତି କେତେ ଟଙ୍କା ହେଉଛି ଲାଭ

189

କନକ ବ୍ୟୁରୋ : ବର୍ଷ ବର୍ଷ ଧରି ପାରମ୍ପାରିକ ମକା ଚାଷ କରୁଥିବା ଗଜପତି ଜିଲ୍ଲାର ଚାଷୀ ଏବେ ଲେମନ ଗ୍ରାସ ଚାଷ କରି ବେଶ ସଫଳ ହେଉଛନ୍ତି । ଚାଷୀଙ୍କ ଜମିରେ ଲହଡ଼ି ଭାଙ୍ଗୁଛି ଲେମନ ଗ୍ରାସ । କମ୍ ସମୟରେ ଅଧିକ ରୋଜଗାର ହେଉଥିବାରୁ ଏହି ଚାଷକୁ ଆପଣାଇଛନ୍ତି ଚାଷୀ । ଗଜପତି ମୋହନା ବ୍ଲକ ଚନ୍ଦ୍ରଗିରି ଅଂଚଳରେ ଅଧିକାଂଶ ଚାଷୀ ଲେମନ ଗ୍ରାସ ଚାଷ କରିଛନ୍ତି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଲେମନ ଗ୍ରାସ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇଦିଆଯାଉଛି । ପ୍ରଥମ ଥର ପାଇଁ ୩୫ ଏକର ଜମିରେ ଏହି ଚାଷ ଅରମ୍ଭ କରିଛନ୍ତି ୧୦ ଜଣ ତିଦ୍ଧତିୟ ପରିବାର ।

ଲେମନ ଗ୍ରାସରୁ ସାଧରଣତଃ ସୁଗନ୍ଧିତ ତୈଳ ଉତ୍ପାଦନ କରାଯାଏ । ଏହି ତେଲ କସମେଟିକ୍ ପ୍ରଡ଼କ୍ଟ ଏବଂ ଫାର୍ମା କମ୍ପାନୀରେ ବ୍ୟବହାର କରାଯାଏ । ଏହି ତେଲର ଦାମ୍ ୧୧ଶହରୁ ୧୨ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀ ମଧ୍ୟ ଭଲ ରୋଜଗାର ପାଇଥାଆନ୍ତି । ଲେମନ ଗ୍ରାସ ଚାଷ ଏକ ଲାଭଦାୟକ ଫସଲ ହୋଇଥିବାରୁ ଗଜପତି ମୋହନା ବ୍ଲକରେ ଗତବର୍ଷ ଠାରୁ ୨୧୦ ଏକର ଚାଷ ହୋଇଛି । ଥରେ ଏହି ଚାଷ ହେଲେ ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ଚାଷୀ ଲାଭ ପାଇଥାଏ । ସେହିପରି ଲେମନ ଗ୍ରାସରୁ ତେଲ ଉତ୍ପାଦନ ପାଇଁ ଏକ ତୈଳ ପ୍ରୋସେସିଂଙ୍ଗ ପ୍ଲାଂଟ ରହିଛି   । ତୈଳ ପ୍ରକଳ୍ପରେ ଦୈନିକ କାମ କରିବାର ସୁଯୋଗ ମିଳୁଥିବାରୁ ଆଖପାଖ ଅଂଚଳର ଲୋକେ ଉପକୃତ ହୋଇପାରୁଛନ୍ତି ।